ପ୍ରଦୂଷଣରୁ ନିସ୍ତାର ନାହିଁ: ଯୁଗ୍ମ-ଅଯୁଗ୍ମ ପ୍ରସ୍ତାବକୁ ଏନ୍‌ଜିଟିର ପ୍ରତ୍ୟାଖ୍ୟାନ

କୁହୁଡ଼ି କମୁଛି, ବାୟୁର ମାନ ସୁଧୁରୁନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଉଦ୍‌୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ବିଗତ ୪ ଦିନ ଧରି ଲୋକେ ଘୋର ହନ୍ତସନ୍ତ ହେଉଥିବା ବେଳେ ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସଙ୍କଟ ବଢ଼ିବାରେ ଲାଗିଛି । ଆଜି ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅତ୍ୟନ୍ତ ଉପରଠାଉରିଆ ଏବଂ ଖାପଛଡ଼ା ବୋଲି କହିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆସନ୍ତା ୧୩ ତାରିଖରୁ ପୁଣି ଥରେ ଗାଡ଼ି ଚଳାଚଳରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଏନ୍‌୍‌ଜିଟି ଆଜି ସ୍ପଷ୍ଟ କରିଦେଇଛନ୍ତି। କେବଳ କାର୍‌ ଚଳାଚଳକୁ ହ୍ରାସ କରି ଏଭଳି ଭୟଙ୍କର ପ୍ରଦୂଷଣରୁ ମୁକ୍ତି ମିଳିବ ନାହିଁ ଏବଂ ପୂର୍ବରୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ପ୍ରୟୋଗରୁ କ’ଣ ସୁଫଳ ମିଳିଛି ତାହା ଜଣାଇବାକୁ ଏନ୍‌୍‌ଜିଟି ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଆଗାମୀ ୧୩ରୁ ୧୭ ତାରିଖ ଯାଏ ଚାରି ଦିନ ପାଇଁ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଯୁଗ୍ମ ଅଯୁଗ୍ମ ନିୟମକୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟ ଘୋଷଣା କରିଥିଲେ। ତେବେ ଏନ୍‌୍‌ଜିଟି ଏଥିରେ ରୋକ୍‌ ଲଗାଇବା ପରେ ସରକାରଙ୍କ ଅଡ଼ୁଆ ବଢ଼ିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମ୍‌ କୋର୍ଟ ଏବଂ ଏନ୍‌୍‌ଜିଟି ୧୦୦ଟି ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଦେଇଥିବା ବେଳେ ଦିଲ୍ଲୀ ସରକାର କେବଳ ଯୁଗ୍ମ-ଅଯୁଗ୍ମ ଫର୍ମୁଲାରେ ହିଁ ଅଟକି ରହିଛନ୍ତି। ଏଭଳି ବେପରୁଆ କାର୍ଯ୍ୟ ଲାଗି ଦିଲ୍ଲୀ ଗ୍ୟାସ୍‌ ଚ୍ୟାମ୍ବର ପାଲଟିଛି ବୋଲି ଏନ୍‌ଜିଟି ଅଧ୍ୟକ୍ଷ ସ୍ୱତନ୍ତ୍ର କୁମାର କହିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଯୁଗ୍ମ ଅଯୁଗ୍ମ ନିୟମକୁ ଦିଲ୍ଲୀରେ ୨୦୧୬ ଜାନୁଆରି ପହିଲାରୁ ୧୫ ତାରିଖ ଯାଏ ଏବଂ ଏପ୍ରିଲ ୧୪ରୁ ୩୦ ଯାଏ ଲାଗୁ କରାଯାଇଥିଲା। ତେବେ ଏହି ପଦକ୍ଷେପ ପ୍ରଦୂଷଣକୁ ଆଶାନୁରୂପ ରୋକିବାରେ ସମର୍ଥ ହୋଇପାରିନଥିଲା।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଜି ଉତ୍ତର ପ୍ରଦେଶ, ହରିୟାଣା ଏବଂ ପଂଜାବ ସରକାର କେତେକ ବିଶେଷ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏ ବାବଦରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବିଶେଷଜ୍ଞ ଦଳକୁ ନିୟୋଜିତ କରିଛନ୍ତି। ଆଜି କୁହୁଡ଼ି କିଛି ପରିମାଣରେ କମିଥିଲେ ମଧ୍ୟ ବାୟୁରେ ବିଷାକ୍ତ ଧୂଳିକଣାର ପରିମାଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି । ଉତ୍ତର ପ୍ରଦେଶ ଏବଂ ପଂଜାବ ପଟୁ ଆସୁଥିବା ପ୍ରବଳ ଧୂଆଁ ଦିଲ୍ଲକୁ ଅଣନିଶ୍ୱାସୀ କରିଦେଇଛି। ସ୍ୱାଭାବିକ ପ୍ରଦୂଷଣସ୍ତରଠାରୁ ୧୧ ଗୁଣ ଅଧିକ ପ୍ରଦୂଷଣ ଦିଲ୍ଲୀରେ ରହିଛି । ଏଭଳି ସ୍ଥିତିରେ ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇବା, ଆବର୍ଜନା ଗଦା ପୋଡ଼ି ବନ୍ଦ କରିବା, ପୁରୁଣା ଡିଜେନ୍‌ ଯାନ ଜବତ କରିବା ଆଦି ପ୍ରକ୍ରିୟା ଆରମ୍ଭ କରିବାକୁ ଦିଲ୍ଲୀ ସରକାର ତତ୍ପର ହୋଇଉଠିଛନ୍ତି। ଭୟଙ୍କର ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ୬ ହଜାର ସ୍କୁଲ ଏବେ ବନ୍ଦ ରହିଛି ଏବଂ ସ୍ଥିତି ସୁଧୁରିଲେ ଏହା ସୋମବାରଠାରୁ ଖୋଲିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର