ଆଇଏମ୍‌୍‌ଡି ପୂର୍ବାନୁମାନ: ଉତ୍ତର ପଶ୍ଚିମ ଭାରତରେ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ: ଦେଶରେ ବର୍ଷାଋତୁ ଆରମ୍ଭ ହୋଇଯାଇଛି ବୋଲି ଗତକାଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଘୋଷଣା କରିଥିବା ବେଳେ ଆଜି ପାଣିପାଗ ସଂକ୍ରାନ୍ତ ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟ ଜାରି ହୋଇଛି। ଏଥର ମୌସୁମୀରେ ଉତ୍ତର ପଶ୍ଚିମ ଭାରତରେ ଭଲ ବର୍ଷା ହେବ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ବାଦଦେଲେ ଦେଶର ସବୁ ଅଂଚଳରେ ସ୍ୱାଭାବିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହି ରିପୋର୍ଟ ସରକାରଙ୍କ ପାଇଁ ଆଶ୍ୱସ୍ତିର ଖବର ହୋଇଥିବା ବେଳେ ସେୟାର ବଜାରରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ଆଇଏମ୍‌ଡି ଆକଳନରୁ ଜଣାଯାଇଛି ଯେ ଉତ୍ତର-ପଶ୍ଚିମ ଭାରତ ତଥା ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ଦିଲ୍ଲୀ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଏବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସବୁଠୁ ଅଧିକ ବର୍ଷା ହେବ। ଜୁଲାଇରେ ଲଗାଣ ବର୍ଷା ହେବ। କେନ୍ଦ୍ରୀୟ ଭାରତରେ ବି ସ୍ୱାଭାବିକ ବର୍ଷା ହେବ, କିନ୍ତୁ ଦକ୍ଷିଣ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଉତ୍ତର ପୂର୍ବ ଭାରତରେ ସବୁଠାରୁ କମ୍‌ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର ପୂର୍ବରେ ପ୍ରାୟ ୯୩ ପ୍ରତିଶତ ଏବଂ ଦକ୍ଷିଣ ଭାରତରେ ୯୫ ପ୍ରତିଶତ ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ଆଇଏମ୍‌ଡି ସୁତ୍ରରୁ ପ୍ରକାଶ ଯେ ଏ ବର୍ଷ ବର୍ଷାଋତୁରେ ଉତ୍ତର ପଶ୍ଚିମ ଭାରତରେ ହାରାହାରି ବୃଷ୍ଟିପାତ ରେକର୍ଡ ଅନୁଯାୟୀ ୧୦୦ ପ୍ରତିଶତ ବର୍ଷା ହେବ। ସେହିପରି କେନ୍ଦ୍ରୀୟ ଭାରତରେ ୯୯ ପ୍ରତିଶତ ହାରାହାରି ବୃଷ୍ଟିପାତ ହେବ ବୋଲି ଅନୁମାନ କରାଯାଇଛି । ସୂଚନାଯୋଗ୍ୟ ହାରାହାରି ବୃଷ୍ଟିପାତ ୯୬-୧୦୪ ପ୍ରତିଶତ ରହିଲେ ଏହାକୁ ସ୍ୱାଭାବିକ ବୋଲି ବିବେଚନା କରାଯାଇଥାଏ। ଏଥର ବର୍ଷା ଋତୁରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହେବ ବୋଲି ଜାତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଜୁଲାଇ ମାସରେ ଦେଶରେ ହାରାହାରି ବୃଷ୍ଟିପାତ ୧୦୧ ପ୍ରତିଶତ ଏବଂ ଅଗଷ୍ଟରେ ହାରାହାରି ବୃଷ୍ଟିପାତ ୯୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର