ଖାର୍ତୁମ୍ (ସୁଦାନ୍): ସୁଦାନ୍ର ଏକ ସେରାମିକ୍ ଫ୍ୟାକ୍ଟ୍ରିରେ ଗତ ବୁଧବାର ଏଲ୍ପିଜି ଟ୍ୟାଙ୍କର ବିସ୍ଫୋରଣରେ ପ୍ରାଣ ହରାଇଥିବା ୨୩ ଜଣଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ଅଛନ୍ତି। ଏଥିସହ ଏହି ବିସ୍ଫୋରଣରେ ଆହତ ହୋଇଥିବା ୧୩୦ରୁ ଅଧିକ ଲୋକଙ୍କ ମଧ୍ୟରେ ଏକାଧିକ ଭାରତୀୟ ଅଛନ୍ତି।
ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୬ ଜଣ ତାମିଲନାଡ଼ୁର ହୋଇଥିବା ବେଳେ, ୫ ଜଣ ହେଉଛନ୍ତି ବିହାରର, ରାଜସ୍ଥାନ ଓ ଉତ୍ତରପ୍ରଦେଶର ୪ ଜଣ ଲେଖାଁଏ, ହରିୟାଣାର ୨ଜଣ ଓ ଦିଲ୍ଲୀ ଏବଂ ଗୁଜୁରାଟର ଜଣେ ଲେଖାଁଏ ଅଛନ୍ତି। ସୁଦାନ୍ ସ୍ଥିତ ଭାରତୀୟ ଦୂତାବାସ ଏ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି ଏବଂ ବିଦେଶ ମନ୍ତ୍ରାଳୟ ସହିତ ଲଗାତାର ସଂପର୍କରେ ଅଛି ବୋଲି ଜୟଶଙ୍କର କହିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ମୃତ ଭାରତୀୟଙ୍କ ତାଲିକା ଜାରି କରାଯାଇଛି। ବସ୍ଫୋରଣ ଅତି ଭୟଙ୍କର ଥିବାରୁ ଅନେକ ଶବ ଖଣ୍ଡ ବିଖଣ୍ଡିତ ଶବକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତ ଭାରତୀୟ ଏବଂ ନିଖୋଜ ଥିବା ଭାରତୀୟଙ୍କ ତାଲିକା ଜାରି କରାଯିବା ସହ ସେମାନଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି। ଏଥିସହ ଏହି ଦୁର୍ଘଟଣା ପରେ ଏବେ ବି ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି।
/sambad/media/post_attachments/wp-content/uploads/2019/12/Sudan1.jpg)
ଅନ୍ୟପକ୍ଷରେ ୭ ଜଣ ଭାରତୀୟ ଏବେ ହସ୍ପିଟାଲରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି। ଏହି ବିସ୍ଫୋରଣରେ ୩୪ ଭାରତୀୟ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଏବଂ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଏକ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର।