ମୋଷ୍ଟ୍‌ ୱାଣ୍ଟେଡ୍‌ ଲସ୍କର ଆତଙ୍କବାଦୀ ଆସିଫ୍‌ ନିପାତ

ଶ୍ରୀନଗର : ଜମ୍ମୁ କଶ୍ମୀରର ବାରମୁଳା ଜିଲ୍ଲା ସ୍ଥିତ ସୋପୁରରେ ଆଜି ସୁରକ୍ଷାବାହିନୀ ଗୁଳିରେ ମୋଷ୍ଟ୍ ୱାଣ୍ଟେଡ ଲସ୍କର ଆତଙ୍କବାଦୀ ଆସିଫ୍‌ ମକବୁଲ୍‌ ଭଟ୍ଟ ନିପାତ ହୋଇଛି। ଏହା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଆସିଫ୍‌ କଶ୍ମୀରରେ ୧୦ରୁ ଅଧିକ ଆକ୍ରମଣରେ ସମ୍ପୃକ୍ତ। ନିକଟରେ ସୋପୁରରେ ଜଣେ ଫଳ ବ୍ୟବସାୟୀଙ୍କ ଘରେସେ ଆକ୍ରମଣ କରି ଏକ ଶିଶୁ ସମେତ ପରିବାରର ୪ ଜଣଙ୍କୁ ଆହତ କରିଥିଲା। ଆହତ ଶିଶୁ ଆସ୍‌ମା ଜାନ୍‌କୁ ପ୍ରଥମେ ଶ୍ରୀନଗର ହସ୍ପିଟାଲ୍‌ରେ ଚିକିତ୍ସ‌ା କରାଯାଇଥିଲେ ମଧ୍ୟ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ପରାମର୍ଶ କ୍ରମେ ତାକୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ସୋପୁର୍‌ରେ ଅନ୍ୟଜଣେ ପ୍ରବାସୀ ଶ୍ରମିକ ସା‌ଫି ଆଲମ୍‌ଙ୍କୁ ସେ ଗୁଳି କରିଥିଲା।

ଏନ୍‌କାଉଣ୍ଟର ପରେ ଜମ୍ମୁ କଶ୍ମୀର ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି, ମୋଷ୍ଟ୍‌ ୱାଣ୍ଟେଡ ଆସିଫ୍‌ ସୋପୁର‌ରେ ଅନେକ ଆକ୍ରମଣ ଘଟାଇଛି ଏବଂ ଗତ ଗୋଟିଏ ମାସ ଧରି ସେ ‌କଶ୍ମୀରରେ ବେଶ୍‌ ସକ୍ରିୟ ଥିଲା। ସ୍ଥାନୀୟ ଲୋକଙ୍କ ମନରେ ସେ ଭୟର ବାତାବରଣ ସୃଷ୍ଟି କରିଥିଲା। ଲୋକମାନଙ୍କୁ ଦୋକାନ ବଜାର ନଖୋଲିବା ପାଇଁ ଧମକ ଦେଉଥିଲା। ସେ କିଛି ଲୋକଙ୍କ ଦ୍ବାରା ପୋଷ୍ଟର ପ୍ରିଣ୍ଟ୍‌ କରି ଲୋକମାନଙ୍କୁ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆନ୍ଦୋଳନ କରିବାପାଇଁ ଏବଂ ସରକାରଙ୍କ ନିଷ୍ପତ୍ତିକୁ ସହଯୋଗ ନକରିବା ପାଇଁ ମତାଉଥିଲା।

ସୁରକ୍ଷାକର୍ମୀଙ୍କ ଦ୍ବାରା ‌ସୋପୁରରେ ୮ ଏଲ୍‌ଇଟି ସହଯୋଗୀ ଗିରଫ ହେବାର ଦିନକ ପରେ ଆତଙ୍କବାଦୀ ଅସିଫ୍‌ ନିହତ ହୋଇଛି। ଗିରଫ ୮ ଏଲ୍‌ଇଟି ସହଯୋଗୀଙ୍କୁ ଜେରା ସମୟରେ ଜଣାପଡ଼ିଥିଲା ଯେ ସ୍ଥାନୀୟ ଆତଙ୍କବାଦୀ ସଜାଦ ମୀର ଓରଫ୍‌ ହାଇଦର, ଆସିଫ୍‌ ଏବଂ ସେମାନଙ୍କ ଅନ୍ୟ ସହଯୋଗୀ ମୁଦ୍ଦାସିର ପଣ୍ଡିତର ନିର୍ଦ୍ଦେଶରେ କଶ୍ମୀରରେ ହିଂସା ସୃଷ୍ଟି ପାଇଁ ବଡ଼ ଷଡ଼ଯନ୍ତ୍ର କରିଥିଲେ।

ସମ୍ବନ୍ଧିତ ଖବର