ଦୁର୍ଦ୍ଦାନ୍ତ ରକି ଗିରଫ: ୧୫ରୁ ଉର୍ଧ୍ୱ ମାମଲାରେ ଅଭିଯୁକ୍ତ, ୧୧୦‌‌ରେ ବି ବାନ୍ଧିଥିଲା ପୁଲିସ୍‌

ଭୁବନେଶ୍ୱର,: ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ଚଳାଇଥିବା ଚକେଇସିଆଣିର ରାକେଶ ରାଉତ ଓରଫ ରକିକୁ କମିସନରେଟ୍‌ ପୁଲିସ୍‌ ଆଜି ଗିରଫ କରିଛି। ଶିଳ୍ପାଞ୍ଚଳ ପରିସରରେ ଥିବା ଖବରକାଗଜ ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ଦେବା ସହ ଗାଡ଼ି ଛଡାଇନେବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ୍‌ ତାକୁ ଗିରଫ କରିଛି। ତା’ ନାମରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୫ରୁ ଊର୍ଧ୍ୱ ମାମଲା ଥିବା ବେଳେ କମିସନରେଟ୍‌ ପୁଲିସ ତାକୁ ଦଫା ୧୧୦ରେ ମଧ୍ୟ ଗିରଫ କରିଥିବା ରେକର୍ଡ ରହିଛି। ହତ୍ୟା ଧମକ, ଜାଗା ଦଖଲରେ ପ୍ରତିପକ୍ଷକୁ ଧମକ, ଆକ୍ରମଣ, ଅପହରଣ, ଛିନ୍‌ତାଇ ପ୍ରଭୃତି ମାମଲାରେ ତା’ର ସଂପୃକ୍ତି ରହିଥିବା ପୁଲିସ୍‌ କହିଛି। ସେ ପ୍ରତ୍ୟେକ ସମୟରେ ଜାମିନରେ ଆସିବା ପରେ ବଡ଼ ଅଘଟଣ ଘଟାଇବା ପ୍ରମାଣ ରହିଛି।

ସୂଚନାଯୋଗ୍ୟ, ଗତ ୩୦ ତାରିଖ ବିଳମ୍ବିତ ରାତିରେ ମଞ୍ଚେଶ୍ବରସ୍ଥିତ ଏକ ଖବରକାଗଜ ସଂସ୍ଥାର କର୍ମଚାରୀ ରବିନ ବିଶ୍ୱାଳ ଘରକୁ ଫେରିଥିଲେ। ଶିଳ୍ପାଞ୍ଚଳ ଭିତରେ ସେ ଯାଉଥିବା ବେଳେ ରକି ତାଙ୍କୁ ଅଟକାଇଥିଲା। ସେ କିଛି ବୁଝିବା ପୂର୍ବରୁ ରକି ତାଙ୍କୁ ମାଡ଼ ମାରି ସେହି ଗାଡ଼ି‌ରେ ବସି ଚକେଇସିଆଣି ପର୍ଯ୍ୟନ୍ତ ଯାଇଥିଲା। ପରେ ସେଠାରୁ ତାଙ୍କ ଗାଡ଼ି ଛଡ଼ାଇ ନେଇ ଫେରାର୍‌ ହୋଇଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ୍‌ ସେହି ରାତିରେ ଗାଡ଼ି ଓ ରବିନ୍‌ଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର