ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ତଥା ଘଜୱତ-ଉଲ୍-ହିନ୍ଦ୍ ମୁଖ୍ୟ ଜାକିର ମୁସା ନିହତ ହୋଇଛି। ଭାରତୀୟ ସେନାର ୪୨ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀର ପୁଲିସର ଏକ ସ୍ବତନ୍ତ୍ର ଅପରେସନ ଗ୍ରୁପ୍ ମିଳିତ ଅପରେସନରେ ଏହି କୁଖ୍ୟାତ ଆତଙ୍କବାଦୀj ପ୍ରାଣ ଯାଇଛି। ସେ କଶ୍ମୀରର ତ୍ରାଲ ଅଞ୍ଚଳର ଦଦ୍ସାରା ଗ୍ରାମରେ ଜଣେ କେମିଷ୍ଟ୍ଙ୍କ ଘରେ ଲୁଚିଥିବାବେଳେ ସେନା ଓ ଏସ୍ଓଜିର ଏନ୍କାଉଣ୍ଟର୍ରେ ତା’ର ମୃତ୍ୟୁ ହୋଇଛି। ମୁସା ଲୁଚିଥିବା ଘରର ମାଲିକଙ୍କୁ ପୁଲିସ ପକ୍ଷରୁ ମୂଲଚାଲ ପାଇଁ ନିଆଯାଇଥିଲା। କିନ୍ତୁ ମୁସା ଆତ୍ମ ସମର୍ପଣ କରିବାକୁ ମନା କରିଦେବା ପରେ ସୁରକ୍ଷା ବାହିନୀ ତାକୁ ଏନକାଉଣ୍ଟରରେ ନିପାତ କରିଛନ୍ତି। ଦୀର୍ଘବର୍ଷ ହେଲା ଜାକିର ପୁଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହି ଆସିଥିଲା। ଦୁଇ ବର୍ଷ ପୂର୍ବେ ତାଙ୍କୁ ସେନାବାହିନୀ ନିଜ ଅଧୀନକୁ ପ୍ରାୟତଃ ନେଇ ଆସିଥିଲେ ମଧ୍ୟ ପଥର ଫିଙ୍ଗାଳୀମାନେ ତାକୁ ସୁରକ୍ଷା ଦେବାରୁ ସେ ଖସି ପଳାଇଥିଲା।
ଅନ୍ୟ ଆତଙ୍କବାଦୀଙ୍କ ଭଳି ୨୮ ବର୍ଷୀୟ ଜାକିର ରସିଦ୍ ଭଟ୍ଟ ଓରଫ୍ ଜାକିର ମୁସା ଏକ ସାଧାରଣ ପୃଷ୍ଠଭୂମିରୁ ଆସିଥିଲା। ୨୦୧୩ ମସିହାରେ ହିଜବୁଲ ମୁଜାହିଦ୍ଦିନ୍ ସଂଗଠନର ତତ୍କାଳୀନ ମୁଖ୍ୟ ବୁରହାନ୍ ୱାନି ତା’ର ସଂଗଠନରେ ଜାକିରକୁ ସାମିଲ କରିଥିଲା। ୨୦୧୬ରେ ବୁରହାନ୍କୁ ସୁରକ୍ଷା ବାହିନୀ ମାରିବା ପର୍ଯ୍ୟନ୍ତ ସେ ତା’ର ଜଣେ ଘନିଷ୍ଠ ସହଯୋଗୀ ରହିଥିଲା। ୱାନିର ମୃତ୍ୟୁ ପରେ ଜାକିର ହିଜବୁଲ ମୁଜାହିଦ୍ଦିନ୍ ସଂଗଠନର ମୁଖ୍ୟ ହୋଇଥିଲା । କିନ୍ତୁ ପରେ ସଂଗଠନ ସହିତ ତା’ର ଆଦର୍ଶଗତ ମତପାର୍ଥକ୍ୟ ହେବାରୁ ସେ ଏଥିରୁ ଓହରିଯାଇ ଅନସର ଘଜୱତ୍-ଉଲ୍-ହିନ୍ଦ୍ ଗଠନ କରିଥିଲା।