ନୂଆଦିଲ୍ଲୀ: ପଂଜାବରେ ୧୭ଟି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ମୋଷ୍ଟ୍ ୱାଣ୍ଟେଡ ହରପ୍ରୀତ ସିଂହ ଗୁରୁବାର ଆମେରିକାରେ ଗିରଫ ହୋଇଛି। କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରେ ହରପ୍ରୀତକୁ ଏଫ୍ବିଆଇ ଏବଂ ଆମେରିକା ଆପ୍ରବାସନ ଅଧିକାରୀଙ୍କ ଦ୍ବାରା ଗିରଫ କରାଯାଇଛି। ୨ଟି ଆତଙ୍କବାଦୀ ଗୋଷ୍ଠୀ ସହ ତା’ର ସମ୍ପୃକ୍ତି ଥିଲା। ବେଆଇନ ଭାବେ ସେ ଆମେରିକାରେ ପ୍ରବେଶ କରିଥିଲା ଏବଂ ଗିରଫରୁ ବର୍ତ୍ତିବାପାଇଁ ଗୁପ୍ତ ଫୋନ୍ ବ୍ୟବହାର କରୁଥିଲା। ହରପ୍ରୀତ ସିଂହ ମଧ୍ୟ ‘ହାପି ପସିଆ’ ଭାବେ ଏବଂ ‘ଜୋରା’ ଭାବେ ଜଣାଶୁଣା। ସେ ପଂଜାବ ଅମୃତସର ଅଧୀନସ୍ଥ ପସିଆ ଗ୍ରାମର । ୨୦୨୧ରେ ମେକ୍ସିକୋରୁ ଆମେରିକାକୁ ବେଆଇନ ଭାବେ ପ୍ରବେଶ କରିବା ପୂର୍ବରୁ ସେ ବ୍ରିଟେନ୍ରେ ସ୍ବଳ୍ପ ସମୟ ପାଇଁ ରହିଥିଲା। ପଂଜାବ ପୁଲିସ ଅନୁଯାୟୀ ସିଂହ ୧୭ଟି ବଡ଼ ଅପରାଧରେ ସିଧାସଳଖ ସଂପୃକ୍ତ।
ଦେଶରେ ଆତଙ୍କବାଦ ନିରୋଧ ଆଇନ ଅଧୀନରେ ତା’ ବିରୋଧରେ ମାମଲା ରହିଛି। ଏଥି ମଧ୍ୟରୁ ୧୨ଟି ମାମଲା ୨୦୨୨ ନଭେମ୍ବରରୁ ୨୦୨୪ ଏପ୍ରିଲ ମଧ୍ୟରେ ରୁଜୁ କରାଯାଇଛି। ମାର୍ଚ୍ଚ ୨୩ ତାରିଖରେ ଏନ୍ଆଇଏ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ବିକେଆଇ (ବାବ୍ବର ଖାଲସା ଇଣ୍ଟରନ୍ୟାସନାଲ୍)ର ୪ ଜଣ ସଦସ୍ୟଙ୍କ ବିରୋଧରେ ୨୦୨୪ ଚଣ୍ଡିଗଡ଼ ଗ୍ରେନେଡ୍ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ୪ ଜଣଙ୍କ ମଧ୍ୟରେ ହରପ୍ରୀତ ସିଂହ ମଧ୍ୟ ଥିଲା। ହରପ୍ରୀତ ସିଂହ ଏବଂ ଅନ୍ୟ ଜଣେ ସଦସ୍ୟ ହରବିନ୍ଦର ସିଂହ ସନ୍ଧୁ ଏହି ଆକ୍ରମଣ ପଛର ମୁଖ୍ୟ ଷଡ୍ଯନ୍ତ୍ରକାରୀ ବୋଲି ଏନ୍ଆଇଏ ଦାବି କରିଛି।