ଖସିଗଲା ବିକାଶ ଦୁବେ, ଘନିଷ୍ଠ ସହଯୋଗୀ ପୁଲିସ ଗୁଳିରେ ନିହତ

ଦୁବେ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ପୁରସ୍କାର

ହମିରପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଏବେ ବି ପୁଲିସ ପାଇଁ ଅପହଞ୍ଚ। ଗତ ରାତିରେ ଫରିଦାବାଦ୍‌ର ଏକ ହୋଟେଲ୍‌ରେ ବିକାଶ ଦୁବେ ଥିବା ଜାଣି ଏକ ପୁଲିସ ଟିମ୍‌ ସେଠାରେ ପହଞ୍ଚିଥିଲେ। କିନ୍ତୁ ହୋଟେଲ୍‌ ଉପରେ ପୁଲିସ ଚଢ଼ଉ କରିବା ପୂର୍ବରୁ ଦୁବେ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷେ ଦୁବେର ଘନିଷ୍ଠ ସହଯୋଗୀ ଅମର ଦୁବେ ଆଜି ସକାଳେ ଉତ୍ତରପ୍ରଦେଶର ହମିରପୁରରେ ପୁଲିସ ଗୁଳିରେ ନିହତ ହୋଇଛି। ଗତ ସପ୍ତାହରେ ପୁଲିସ ଉପରେ ହୋଇଥିବା ଆକ୍ରମଣରେ ସେ ସମ୍ପୃକ୍ତ ଥିଲା। କାନପୁର ଏନ୍‌କାଉଣ୍ଟର ଘଟଣାରେ ୮ ପୁଲିସଙ୍କ ମୃତ୍ୟୁ ପରଠାରୁ ପୁଲିସ ବିକାଶ ଦୁବେ ସମେତ ତା’ର ୧୫ ଜଣ ସହଯୋଗୀଙ୍କୁ ଖୋଜୁଛି। ତେବେ ଅମର ଦୁବେ ଏହି ତାଲିକାରେ ସବା ଆଗରେ ଥିଲା। ଅମର ବିକାଶ ଦୁବେର ସୁରକ୍ଷା ଦାୟିତ୍ବରେ ଥିଲା। ବିକାଶ ଦୁବେର ଅପରାଧ ନେଟ୍‌ୱର୍କର ସେ ଅନ୍ୟତମ ସଂଚାଳକ ବୋଲି ଜଣାପଡ଼ିଛି। ପୁଲିସ ଉପରେ ଆକ୍ରମଣର ସମସ୍ତ ଯୋଜନା ସେ ହିଁ ପ୍ରସ୍ତୁତ କରିଥିବା ତଦନ୍ତରୁ ଜଣାପଡ଼ିଛି। । ସୂଚନାନୁଯାୟୀ, ଅମର ଦୁବେ ଗତ ସପ୍ତାହରେ ବିବାହ କରିଥିଲା।

ଅନ୍ୟପକ୍ଷେ ହରିୟାଣା ପୁଲିସ ଦ୍ବାରା ବିକାଶ ଦୁବେକୁ ସହଯୋଗ କରୁଥିବା ଅନ୍ୟ ୩ ଜଣଙ୍କୁ ଫରିଦାବାଦ୍‌ ହୋଟେଲ୍‌ରୁ ଗିରଫ କରାଯାଇଛି। ବିକାଶ ଦୁବେକୁ କାନପୁରରୁ ଫରିଦାବାଦ୍‌ ସ୍ଥିତ ହୋ‌ଟେଲ୍‌ ନେବାରେ ସହଯୋଗ କରିଥିବା ପ୍ରଭାତ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ୟୁପି ଏସ୍‌ଟିଏଫ୍‌ ଗୁରୁଗ୍ରାମ, ଦିଲ୍ଲୀ ଏବଂ ଫରିଦାବାଦ୍‌ର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଗିରଫ ହୋଇଥବା ଦୁବେର ସହଯୋଗୀମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

କାନପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଧରିବାରେ ଏ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ପୁଲିସ ସମର୍ଥ ହୋଇନାହିଁ। କାନ୍‌ପୁର ଜିଲ୍ଲାରେ ୮ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ବିକାଶ ଦୁବେକୁ ଧରିବା ପାଇଁ ଗତ ଶୁକ୍ରବାରଠାରୁ ପୁଲିସ ଟିମ୍‌ ଗଠନ ହେଲାଣି। କିନ୍ତୁ ଦୁବେକୁ ଏ ଯା‌ବତ୍‌ ଗିରଫ କରାଯାଇପାରିନି। ବିକାଶ ଦୁବେ ସମ୍ପର୍କରେ ସୂଚନା ଦେବାପାଇଁ ପୁରସ୍କାର ରାଶି ମଧ୍ୟ ଅ‌ଢ଼େଇ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଯିଏ ବିକାଶ ଦୁବେ ସମ୍ପର୍କରେ ଖବର ଦେବ ତାକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୁଲିସ ବିଭାଗ ଘୋଷଣା କରିଛି । ମିଳିଥିବା ସୂଚନାନୁଯାୟୀ ଗ୍ୟାଙ୍ଗଷ୍ଟର୍‌ ଦୁବେକୁ ଖୋଜିବାପାଇଁ ୧୦୦ରୁ ଅଧିକ ପୁଲିସ ଟିମ୍‌ ମୁତୟନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଦୁବେକୁ ନ ଧରିବା ପର୍ଯ୍ୟନ୍ତ ପୁଲିସ ଶାନ୍ତିରେ ବସିବ ନାହିଁ ବୋଲି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ଦିଲ୍ଲୀ ପୁଲିସର ୫ଟି ଟିମ୍‌ ମଧ୍ୟ ଦୁବେକୁ ଠାବ କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

୨ ପୁଲିସ ଅଧିକାରୀ ଗିରଫ
ଲକ୍ଷ୍ନୌ: ବିକାଶ ଦୁବେକୁ ପୁଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଗୁଆ ସୂଚନା ଦେଇଥିବା ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଛି। ଘଟଣାରେ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଏହି ମାମଲାରେ ଦୁଇ ଜଣ ପୁଲିସ କର୍ମୀ ତଥା ଚୌବେପୁର ଏସ୍ଏଚ୍ଓ ବିନୟ ତିୱାରୀ ଏବଂ ଏସ୍‌ଆଇ କେକେ ଶର୍ମାଙ୍କୁ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି। ଏସ୍‌ଏଚ୍ଓ ବିନୟ ତିୱାରୀ ଏବଂ ଏସ୍‌ଆଇ ପୂର୍ବରୁ ଏହି ମାମଲାରେ ନିଲମ୍ବିତ ହୋଇଥିଲେ। ଉଭୟ ବିନୟ ତିୱାରୀ ଏବଂ କେକେ ଶର୍ମାଙ୍କୁ ଜେରା କରିବାପରେ ଏହା ଜଣାପଡ଼ିଛି ଯେ, ସେମାନେ ବିକାଶ ଦୁବେକୁ ପୁଲିସର ଚଢ଼ଉ ଏବଂ ଗିରଫ ଯୋଜନା ସମ୍ପର୍କରେ ଆଗୁଆ ସୂଚନା ଦେଇଥିଲେ। ଖାଲି ସେତିକି ନୁହେଁ, ଅନ୍ୟ ପୁଲିସମାନଙ୍କ ଜୀବନକୁ ବିପଦରେ ପକାଇ ସେମାନେ ଅପରେସନ୍‌ ସମୟରେ ଏନ୍‌କାଉଣ୍ଟର ସ୍ଥଳ ଛାଡ଼ି ପଳାଇ ଆସିଥିବାରୁ ସେମାନଙ୍କୁ ଗିରଫ କରାଯାଇଛି।

ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ହମିରପୁରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ସହଯୋଗୀକୁ ନିପାତ କରିବା ପରେ କାନପୁର ଓ ଫରିଦାବାଦ୍‌ରେ ପୃଥକ୍‌ ଏନ୍‌କାଉଣ୍ଟରରେ ୬ ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ଜେରା ପରେ ଉପରୋକ୍ତ ୨ ଜଣ ପୁଲିସ ଅଧିକାରୀ ଗିରଫ ହୋଇଛନ୍ତି। ଦୁଇ ପୁଲିସଙ୍କ ଗିରଫ ପ୍ରସଙ୍ଗରେ କାନପୁର ଏସ୍‌ଏସ୍‌ପି ଦିନେଶ ପ୍ରଭୁ କହିଛନ୍ତି, ପ୍ରମାଣ ଆଧାରରେ ଏହା ଜଣାପଡ଼ିଛି ଯେ, ଉଭୟ ତିୱାରୀ ଏବଂ ଶର୍ମା ପୁଲିସ ଚଢ଼ଉ ସମ୍ପର୍କରେ ଦୁବେକୁ ଖବର ଦେଇଥିଲେ। ଫଳରେ ଯୋଜନାବଦ୍ଧ ଆକ୍ରମଣ ଯୋଗୁଁ ୮ ପୁଲିସଙ୍କ ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ତିୱାରୀ ଏବଂ ଶର୍ମାଙ୍କ ସମତେ ୪ ଜଣ ପୁଲିସ ଅଧିକାରୀ ପୂର୍ବରୁ ଜୁଲାଇ ୪ ତାରିଖରେ ନିଲମ୍ବିତ ହୋଇଥିଲେ।

ସମ୍ବନ୍ଧିତ ଖବର