ମୋଦୀଙ୍କ ନାଁରେ ‌ପଟେଲ୍‌ ଷ୍ଟାଡିୟମ୍‌, ରାଷ୍ଟ୍ରପତିଙ୍କ ଦ୍ବାରା ଉଦ୍‌ଘାଟିତ

ବିଶ୍ବର ସର୍ବବୃହତ୍ କ୍ରିକେଟ୍ ପଡ଼ିଆ, ଦର୍ଶକ କ୍ଷମତା ୧, ୩୨,୦୦୦

ଅହମ୍ମଦାବାଦ: ଅହମ୍ମଦାବାଦର ମୋଟେରାଠାରେ ଗତ ୬ ବର୍ଷ ହେବ ନିର୍ମାଣ ଚାଲିଥିବା ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌କୁ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ ଭାବେ ପରିଚିତ ଏହି ଷ୍ଟାଡିୟମ୍‌ର ନାଁ ବଦଳାଇ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ରଖାଯାଇଛି। ନବୀକରଣ ପରେ ୧,୩୨,୦୦୦ ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମ୍‌ର ଉଦଘାଟନୀ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ, ବିସିସିଆଇ ସଂପାଦକ ଜୟ ଶାହଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ୬୩ ଏକର ପରିମିତ ଏହି ଷ୍ଟାଡିୟମ୍‌ର ନିର୍ମାଣ ଲାଗି ପାଖାପାଖି ୮୦୦ କୋଟି ଟଙ୍କା ଖର୍ଚ କରାଯାଇଛି। ପୂର୍ବରୁ ଏହି ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୧,୧୦,୦୦୦ ହେବ ବୋଲି ଆକଳନ କରାଯାଉଥିଲା। ତେବେ ପ୍ରକୃତରେ ଏହା ୧୩୨,୦୦୦ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ନିଜ ଭାଷଣରେ ଘୋଷଣା କରିଥିଲେ। ଏହି ଷ୍ଟାଡିୟମ୍‌ ଏବେ ଅଷ୍ଟ୍ରେଲିଆର ଐତିହାସିକ ମେଲବର୍ନ କ୍ରିକେଟ୍ ପଡ଼ିଆ (ଏମ୍‌ସିଜି)କୁ ପଛରେ ପକାଇ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ଲାଭ କରିଛି। ତେବେ ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ କେବଳ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ନୁହେଁ, ବରଂ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟ୍ ଷ୍ଟାଡିୟମ୍ ବୋଲି କ୍ରୀଡ଼ା ମନ୍ତ୍ରୀ ରିଜିଜୁ ମତ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ସମସ୍ତପ୍ରକାର ବିଶ୍ବସ୍ତରୀୟ ସୁବିଧାସୁଯୋଗ ଥିବା ଏହି ଷ୍ଟାଡିୟମ୍‌ରେ ମୋଟ ୧୧ଟି ପିଚ୍ ରହିଛି। ସେଥିମଧ୍ୟରୁ ୬ଟି ଲାଲ୍‌ ମାଟି ଏବଂ ୫ଟି କଳା ମାଟିରେ ନିର୍ମାଣ କରାଯାଇଛି। ମୋଟେରା ଷ୍ଟାଡିୟମ୍‌ର ସୁବିଧା ସୁ‌ଯୋଗ ଓ ସୌନ୍ଦର୍ଯ୍ୟ କେବଳ ଭାରତୀୟ ଖେଳାଳିଙ୍କୁ ବିମୋହିତ କରିନି, ବରଂ ଇଂଲଣ୍ଡ ସହ ବିଶ୍ବର ବହୁ ଦେଶର ପୂର୍ବତନ ଓ ଏବେକାର ଖେଳାଳିଙ୍କର ମଧ୍ୟ ଆଖିଖୋସି ହୋଇଯାଇଛି। ଅଣ୍ଡାକୃତିରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ୍‌କୁ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ ଯେକୌଣସି ମୂଲ୍ୟର ଟିକେଟ୍ କିଣିଲେ ମଧ୍ୟ ଦର୍ଶକ ମ୍ୟାଚ୍‌ର ଦୃଶ୍ୟକୁ ମନଭରି ଉପଭୋଗ କରିପାରିବେ। ମୋଟେରା ଷ୍ଟାଡିୟମ୍‌ର ସଂପୂର୍ଣ୍ଣ ରୂପ ଓ ଆକାର ୩୨ଟି ଅଲିମ୍ପିକ୍ସ ଆକାରର ଫୁଟ୍‌ବଲ୍ ପଡ଼ିଆ ସହ ସମାନ ବୋଲି ଜଣାପଡ଼ିଛି। ଅଷ୍ଟ୍ରେଲୀୟ କଂପାନି ପପୁଲସ୍ ଏହି ଷ୍ଟାଡିୟମ୍‌ର ଡିଜାଇନ୍ ପ୍ରସ୍ତୁତ କରିଛି।

ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

ମୋଟେରା ଷ୍ଟାଡିୟମ୍‌ରେ ୧୯୮୩ ମସିହାରୁ ଅନ୍ତର୍ଜାତୀୟ କ୍ରି‌କେଟ୍ ମ୍ୟାଚ୍ ହୋଇଆସୁଥିଲା ବେଳେ ଏହି ଷ୍ଟାଡିୟମ୍ ପୂର୍ବରୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାଁରେ ପରିଚିତ ଥିଲା। ନବୀକରଣ ପରେ ଏହାକୁ ମୋଦୀଙ୍କ ନାଁରେ ନାମକରଣ କରାଯିବା ନେଇ ବିବାଦ ସୃଷ୍ଟି ହୋଇଛି। ଦିନ ତମାମ ସାମାଜିକ ଗଣାମଧ୍ୟମରେ ଏହା ଚର୍ଚାର ବିଷୟ ହୋଇ ରହିଥିଲା। ବିଶେଷ କରି ପଟେଲଙ୍କ ନାଁ ହଟାଯିବା ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଶାସକ ବିଜେପିକୁ କଟାକ୍ଷ କରାଯାଇଥିଲା। ଶଶି ଥରୁରଙ୍କ ଭଳି ସାଂସଦ ଟ୍ବିଟ୍ କରି ଗୁଜରାଟ କ୍ରିକେଟ୍ ସଂଘର ଏଭଳି ପଦକ୍ଷେପକୁ ନିନ୍ଦ‌ା କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ତାଙ୍କ ପୁରୁଣୀ ସ୍ଳୋଗାନ ‘ହମ୍‌ ଦୋ, ହମାରେ ଦୋ’ ଲେଖି ଏହି ଘଟଣାକୁ ସମାଲୋଚନା କରିଛନ୍ତି। ସାଧାରଣ କ୍ରିକେଟ୍‌ପ୍ରେମୀ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ବିବାଦ ବଢ଼ିବା ଦେଖି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ବହୁ ବିଜେପି ନେତା ସ୍ପଷ୍ଟୀକରଣ ଦେଇଥିଲେ। ପ୍ରକୃତରେ ମୋଟେରାରେ ଥିବା ବହୁମୁଖୀ କ୍ରୀଡ଼ା ଭିତ୍ତିଭୂମି ‘ସର୍ଦ୍ଦାର ପଟେଲ କ୍ରୀଡ଼ା ଏନକ୍ଲେଭ୍’ ନାମରେ ପରିଚିତ ହେବ ଏବଂ ଏହାର ଏକ ଅଂଶ ଅର୍ଥାତ୍ କ୍ରିକେଟ୍ ଷ୍ଟାଡିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଥିବା ସେ ଟ୍ବିଟ୍ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ଏକଥା‌ ଦୋହରାଇଥିଲେ। ଅହମ୍ମଦାବାଦରେ ସଂପ୍ରତି ୨୦୦ ଏକରରୁ ଅଧିକ ପରିମିତ ଅଞ୍ଚଳରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଆରମ୍ଭ ହୋଇଛି। ଆସନ୍ତା ସମୟରେ ଏଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଏପରିକି ଅଲିମ୍ପିକ୍ସ ଆୟୋଜନର ପରିକଳ୍ପନା କରାଯାଉଥିବା ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର