ନୂଆଦିଲ୍ଲୀ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଷ୍ଠାର ସହ, ଆଗ୍ରହର ସହ କୌଣସି ବି କାମ କଲେ ତାହା ସଫଳ ହୁଏ ନିଶ୍ଚିତ । ଯାହାର ବଡ଼ ଉଦାହରଣ ଆସିଛି ତାମିଲନାଡୁରୁ । ଯେଉଁଠି ଜଣେ ୪୯ ବର୍ଷୀୟା ମହିଳା ନିଟ୍ ପାସ୍ କରିଛନ୍ତି । ଆଉ ସେ ଏହି କୃତକାର୍ଯ୍ଯ ସହ ପ୍ରମାଣିତ କରି ଦେଇଛନ୍ତି କି ପାଠ ପଢିବାର କୌଣସି ବୟସ ନଥାଏ । ନିଷ୍ଠାର ସହ ପଢିଲେ ସଫଳତା ନିଶ୍ଚୟ ମିଳେ ।
ହଁ ଆଜ୍ଞା ଏକା ସାଙ୍ଗରେ ପରୀକ୍ଷା ଦେଇ ପାସ୍ କରିଛନ୍ତି ମାଆ ଓ ଝିଅ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ୪୯ ବର୍ଷୀୟା ମହିଳା ଏବଂ ତାଙ୍କ ଝିଅ । ତାମିଲନାଡୁରୁ ଏହି ଖବର ଆସିବା ପରେ ଏବେ ସାରା ଦେଶରେ ସେହି ମାଆ ଜଣଙ୍କୁ ନେଇ ଚର୍ଚ୍ଚା ଯିଏ ନିଜ ଇଚ୍ଛାକୁ ଶେଷରେ ପୂରା କରିପାରିଛନ୍ତି ।
ଅମୁଥାଭଲ୍ଲୀ ମଣିଭନ୍ନନ ଜଣେ ଫିଜିଓଥେରାପିଷ୍ଟ । ନିଜ ଝିଅ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ତାଙ୍କର ବି ପରୀକ୍ଷା ଦେବାକୁ ଇଚ୍ଛା ହୋଇଥିଲା । ପଢା ପରେ ତାଙ୍କର ଡାକ୍ତରୀ ପଢିବାକୁ ଇଚ୍ଛାଥିଲେ ବି ବିଭିନ୍ନ ସମସ୍ୟା ପାଇଁ ତାଙ୍କ ସ୍ବପ୍ନ ପୂରା ହୋଇନଥିଲା ଆଉ ସେ ଫିଜିଓଥେରାପିକୁ ବାଛିଥିଲେ । ମାତ୍ର ୩ ଦଶନ୍ଧି ପରେ ଝିଅର ମେଡିକାଲ ପ୍ରସ୍ତୁତି ଦେଖି ପୁଣିଥରେ ଯେତେବେଳେ ତାଙ୍କ ଇଚ୍ଛା ଉଙ୍କି ମାରିଛି ସେତେବେଳେ ସେ ଆଉ ନିଜ ଇଚ୍ଛାକୁ ମାରି ନଦେଇ ଇଚ୍ଛାରେ ଉଡାଣ ଭରିବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଣ କରିଥିଲେ ।
ଯଦିଓ ତାଙ୍କ ସମୟର ସିଲାବସ୍ ଏବେ ବହୁତ ଜଟିଳ ଥିଲା ଏବଂ ପାଠପଢା ପୂରା ବଦଳିଯାଇଥିଲା ମାତ୍ର ଝିଅ ଠାରୁ ବହି ଆଣି ଏବଂ ଝିଅର ସାହାଯ୍ୟ ନେଇ ସେ ପୁଣିଥରେ ପଢାପଢି ଆରମ୍ଭ କରିଥିଲେ । ଝିଅ କୋଚିଂ ନେଉଥିବାରୁ ତା ଠାରୁ ବହି ଆଣି ପ୍ରସ୍ତୁତ ହେଉଥିଲେ । ଝିଅ ବି ମାଆର ସ୍ବପ୍ନକୁ ପୂରା କରିବାକୁ ମାଆକୁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । ଆଉ ଶେଷରେ ଝିଅ ସହ ମାଆ ଦୁଇ ଜଣ ଯାକ ନିଟ୍ ପରୀକ୍ଷାରେ ପାସ୍ କରିଛନ୍ତି । ଆଉ ୪୯ ବର୍ଷୀୟା ମାଆ ଜଣଙ୍କ ନିଜ ଜିଲ୍ଲାରେ ଥିବା ଏକ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇଛନ୍ତି । ତେବେ ନିଟ୍ ପାସ୍ ପରେ ମାଆ ତାଙ୍କ ଝିଅକୁ ସବୁ ଶ୍ରେୟ ଦେଇ କହିଛନ୍ତି- ମୋ ଝିଅ ମୋ ପାଇଁ ବଡ ପ୍ରେରଣା । ତାକୁ ଦେଖି ମୁଁ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କଲି । ମୁଁ ତାଠୁ ବହି ମାଗି ପଢିଲି ଆଉ ପାଇଗଲି ।
ସେହିପରି ଝିଅ ସାମ୍ୟୁକ୍ଥା କହିଛନ୍ତି- ମୁଁ ଚାହୁଁଥିଲି କାହାକୁ ପଢାଇ କିମ୍ବା କେହି ମୋ ସହ ଏହି ପାଠପଢାରେ ସହଯୋଗ କରୁ ଯାହା ଫଳରେ ମୁଁ ରିଭାଇଜ୍ କରି ପାରିବି । ଯେହେତୁ ବାପା ଓକିଲ ସେ ଏଥିରେ ଆଗ୍ରହ ଦିଅନ୍ତିନି ମାତ୍ର ମାଆ ମେଡିକାଲ ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ସେ ଏହି କାମକୁ ମୋର ସହଜ କରିବା ସହ ସିଏ ବି ସଫଳ ହୋଇଛନ୍ତି ।