କୋଲକାତା : ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ହୃଦୟବିଦାରକ ଘଟଣା ସମ୍ମୁଖକୁ ଆସିଛି। ଜଣେ ମହିଳା ନିଜ ୨୫ ବର୍ଷୀୟ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରି ଘିଅ, କର୍ପୂର ଏବଂ ମସଲା ସହ ଜାଳିଦେଇଛି। ଶରୀରର ହାଡ଼କୁ ଘରର ଛାତ ଉପରେ ପକାଇ ଦେଇଛି। ତନ୍ତ୍ରବିଦ୍ୟା ଚକ୍କରରେ ମହିଳା ଜଣକ ଏଭଳି ଜଘନ୍ୟା କାଣ୍ଡ କରିଥିବା ପୁଲିସ କହିଛି। ତେବେ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ନାମ ଗୀତା ମାହେନସରିୟା। ପତିଙ୍କ ସହ ବିବାଦ ହେତୁ କିଛି ବର୍ଷ ହେଲା ତିନି ପିଲାଙ୍କୁ ନେଇ ବାପଘରେ ଅଲଗା ରହି ଆସୁଛନ୍ତି। ବଡ଼ ପୁଅ ଅର୍ଜୁନ (୨୫) ସହ କିଛିଦିନ ହେଲା ସମ୍ପର୍କ କରି ନପାରିବାରୁ ପିତା ଅନୀଲ ଥାନାରେ ନିଖୋଜ ରିପୋର୍ଟ ପରେ ଏହି ଘଟଣା ପ୍ରକାଶ୍ୟକୁ ଆସିଛି। ଅନୀଲଙ୍କ ଅଭିଯୋଗକୁ ଭିତ୍ତି କରି ବିଧାନନଗର ଇଷ୍ଟ ଥାନା ପୁଲିସ ଏ ଜେ ବ୍ଲକରେ ଥିବା ଦୁଇ ମହଲା କୋଠାର ଛାତ ଉପରୁ ତଉଲିଆରେ ଗୁଡ଼ା ହୋଇ ରଖାଯାଇଥିବା ଜଣେ ପୁରୁଷର ଅଧାଜଳା ହାଡ଼ ଜବତ କରିଛି। ଘଟଣାସ୍ଥଳରୁ ଏକ ବଡ଼ କଡ଼େଇ, ପାଉଁଶ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ପଥର ଜବତ ହୋଇଛି। ଅଭିଯୁକ୍ତ ଗୀତା ଏବଂ ତାଙ୍କ ସାନ ପୁଅ ବିଦୁର (୨୨)କୁ ଗିରଫ କରି ପଚରା ଉଚରା କରାଯିବାରୁ ଗୀତା ନିଜ ଅପରାଧ ସ୍ବୀକାର କରିଛି। ମୃତ ଦେହକୁ ପୋଡ଼ିବାବେଳେ ସେଥିରୁ ନିର୍ଗତ ଗନ୍ଧକୁ କମ୍ କରିବା ପାଇଁ ସେ ଘିଅ, କର୍ପୁର ଏବଂ ମସଲା ବ୍ୟବହାର କରିଥିଲା। ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ପରୀକ୍ଷା କରିବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜବତ ହୋଇଥିବା ଅଧାଜଳା ହାଡ଼ର ସାମ୍ପୁଲ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୀଲ କହିଛନ୍ତି, ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ। ସାନ ପୁଅ ଉଟିରେ ପାଠ ପଢ଼ୁଛି। ଝିଅ ମଧ୍ୟ ଉଚ୍ଚତ୍ତର ଶିକ୍ଷା ଗ୍ରହଣ କରୁଛି। ପରିବାରରେ କୌଣସି ଅସୁବିଧା ନଥିବା ସତ୍ତ୍ବେ ଗୀତା କାହିଁକି ଏଭଳି କାଣ୍ଡ ଘଟାଇଲା ତାହାର ସମସ୍ତଙ୍କୁ ବିସ୍ମିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/burnt-alive-fire.jpg)