୧୫ ଦିନର ଛୁଆକୁ ବିକି ଟିଭି, ଫ୍ରିଜ କିଣିଲା ମା

ଇନ୍ଦୋର: ଛୁଆର ଦାମ ସାଢେ ୫ ଲକ୍ଷ ଟଙ୍କା | ମଧ୍ୟପ୍ରଦେଶର ଇନ୍ଦୋରରେ ମାତୃତ୍ଵକୁ ଲଜ୍ଜିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମା ନିଜର ୧୫ ଦିନର ନବଜାତ ଶିଶୁକୁ ବିକ୍ରି କରି ସେହି ଟଙ୍କାରେ ଫ୍ରିଜ୍, ଟିଭି ଏବଂ ୱାଶିଂ ମେସିନ୍ ଭଳି ଜିନିଷ କିଣିଛି | ଏହି ମାମଲାରେ ପୁଲିସ ମୋଟ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ଓ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି। ମିଳିଥିବା ସୂଚନାନୁସାରେ, ଇନ୍ଦୋରର ହୀରା ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ସାୟନା ପୁଲିସକୁ କହିଛନ୍ତି ଯେ ସେ ଗର୍ଭବତୀ ହେବା ପରେ ତାଙ୍କ ସ୍ୱାମୀ ପିଲାଟିକୁ ନେଇ ସନ୍ଦେହ କରୁଥିଲେ । ଏହି ଛୁଆ ତାଙ୍କର ନୁହେଁ ବୋଲି ବାରମ୍ବାର କହୁଥିଲେ | ମହିଳା ଜଣକ କହିଛନ୍ତି, ‘ମୋ ସ୍ୱାମୀ ଗର୍ଭପାତ କରିବାକୁ ଚାହୁଁଥିଲେ, କିନ୍ତୁ ସମୟ ଅଧିକ ହୋଇଯାଇଥିବାରୁ ଗର୍ଭପାତ ସମ୍ଭବ ହୋଇନଥିଲା | ତେଣୁ ଆମେ ଦଲାଲ ମାଧ୍ୟମରେ ଶିଶୁଟିକୁ ବିକ୍ରୟ କରିବା ପାଇଁ ଯୋଜନା କରିଥିଲୁ ଏବଂ ପିଲାଟିକୁ ଦେବାସ ଅଞ୍ଚଳର ଜଣେ ଦମ୍ପତ୍ତିଙ୍କୁ ବିକ୍ରି କରିଥିଲୁ।’

ଶିଶୁଟିକୁ ଲୀନା ନାମକ ଜଣେ ମହିଳା କିଣିଥିବା ପୁଲିସ କହିଛି। ଲୀନା କହିଛନ୍ତି ଯେ କିଛି ଦିନ ତଳେ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିବାରୁ ସାୟନା ଛୁଆ ବିକ୍ରି କରିବାକୁ ଚାଁହୁଥିବାର ଜାଣିଥିଲୁ | ଏହା ପରେ ସେ ପିଲାଟିକୁ ସାଢେ ପାଞ୍ଚ ଲକ୍ଷ ଟଙ୍କାରେ କିଣିଥିଲେ। ପୁଲିସ କହିଛି ଯେ ଶିଶୁକୁ ବିକ୍ରୟ କରିବା ପରେ ମିଳିଥିବା ଟଙ୍କାରେ ମହିଳା ଜଣକ ଟିଭି, ଫ୍ରିଜ୍, କୁଲର୍ ଏବଂ ୱାଶିଂ ମେସିନ୍ ଭଳି ଜିନିଷ କିଣିଛନ୍ତି।

ପୁଲିସ କହିଛି, ସାମାଜିକ କର୍ମୀମାନେ ଏବାବଦରେ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଏହି ମାମଲାରେ ଅଭିଯୁକ୍ତ ମା ସମେତ ଆଠ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇଛି ଏବଂ ଦୁଇଜଣ ବର୍ତ୍ତମାନ ଫେରାର ଅଛନ୍ତି | ସେମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି |

ସମ୍ବନ୍ଧିତ ଖବର