ବେଙ୍ଗାଲୁରୁ: ପ୍ରତ୍ୟେକ ପିତାମାତା ନିଜ ସନ୍ତାନଙ୍କ ସୁରକ୍ଷା କଥା ସବୁବେଳେ ଚିନ୍ତା କରିଥାନ୍ତି। ସେମାନେ କିଭଳି ଭଲରେ ରହିବେ ସେଇକଥା ହିଁ ଭାବିଥାନ୍ତି। ଆଉ ଯଦି ସନ୍ତାନଙ୍କ ଉପରେ କୌଣସି ଦୁଃଖ ମାଡ଼ିପଡ଼େ, ପିତାମାତାଙ୍କୁ ସବୁଠୁ ଅଧିକ ବାଧିଥାଏ। କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ନିବାସୀ ୭୨ ବର୍ଷୀୟା ଭଦ୍ରକଲମ୍ମାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟିଥିଲା। ନିଜ ୪୨ ବର୍ଷୀୟ ପୁଅର ଦୁଇଟିଯାକ କିଡ୍ନି ଅଚଳ ହୋଇଯିବା ପରେ ତାଙ୍କ ମୁଣ୍ଡରେ ଆକାଶ ଛିଡ଼ିପଡ଼ିଥିଲା। ଯଥାଶିଘ୍ର ସତ୍ୟନାରାୟଣଚାରୀଙ୍କ କିଡ୍ନି ପ୍ରତିରୋପଣ ହେବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପତ୍ନୀଙ୍କ ବ୍ଲଡ୍ଗ୍ରୁପ୍ ନମିଶିବାରୁ ତାଙ୍କ କିଡ୍ନି ଲାଗିପାରିନଥିଲା। ଶେଷରେ ପୁଅ ଜୀବନ ବଞ୍ଚାଇବାକୁ ଭଦ୍ରକଲମ୍ମା ନିଜ କିଡ୍ନି ଦେବାକୁ ପ୍ରସ୍ତୁତ ହୋଇଥିଲେ। ବାର୍ଦ୍ଧକ୍ୟ ସତ୍ତ୍ବେ ନିଜ ଜୀବନ ସମ୍ପର୍କରେ ଚିନ୍ତା ନକରି ପୁଅ ପାଇଁ ଚରମ ସିଦ୍ଧାନ୍ତ ନେଇଥିଲେ। ଏମିତି କି ଡାକ୍ତରଙ୍କୁ ବାରମ୍ବାର ଅନୁରୋଧ କରି ତାଙ୍କୁ ରାଜି କରାଇଥିଲେ। ତାଙ୍କ ଅନୁରୋଧକ୍ରମେ କିଡ୍ନି ପ୍ରତିରୋପଣ ସଫଳ ହୋଇଥିଲା ଏବଂ ପୁଅ ନୂଆ ଜୀବନ ପାଇଥିଲେ। ସାଧାରଣତଃ ୬୫ ବର୍ଷ ପାର୍ କରୁଥିବା ଲୋକଙ୍କୁ କିଡ୍ନି ଡୋନର୍ ଭାବେ ବିବେଚନା କରାଯାଇନଥାଏ। ଏଭଳି ସ୍ଥଳେ ଭଦ୍ରକଲମ୍ମାଙ୍କ କିଡ୍ନି କିଭଳି ବ୍ୟବହାର ହେବ ତାହାକୁ ନେଇ ଡାକ୍ତର ଚିନ୍ତାରେ ଥିଲେ। ଶେଷରେ ଅନନ୍ୟୋପାୟ ହୋଇ ତାଙ୍କର ଗୋଟିଏ କିଡ୍ନି କଢ଼ାଯାଇଥିଲା। ଦୁଇଟିଯାକ କିଡ୍ନି ସୁସ୍ଥ ଏବଂ ଭଲ ଭାବେ କାର୍ଯ୍ୟ କରୁଥିବାରୁ ଡାକ୍ତର ଶେଷରେ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ନିଜ ଜୀବନକୁ ଖାତିର ନ କରି ଭଦ୍ରକଲମ୍ମା ପୁଅ ସତ୍ୟନାରାୟଣଚାରୀଙ୍କ ଜୀବନ ବଞ୍ଚାଇଛନ୍ତି। ଘଟଣାଟି କର୍ଣ୍ଣାଟକରେ ବେଶ୍ ଚର୍ଚ୍ଚିତ ହୋଇଛି। ଭଦ୍ରକଲମ୍ମା ନିଜ ପୁଅକୁ ଆଉଥରେ ଜନ୍ମ ଦେଲେ ବୋଲି ଅନେକ ମତ ଦେଇଛନ୍ତି।
କିଡ୍ନି ଦେଇ ପୁଅର ଜୀବନ ବଞ୍ଚାଇଲେ ୭୨ ବର୍ଷୀୟା
/sambad/media/post_attachments/wp-content/uploads/2018/11/Kidney-Donor-Mother.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)