ମୋ ଝିଅ ମୁହଁରେ ମୁଁ ଦେବି ନିଆଁ: ସ୍ୱାମୀ ଥିବା ସତ୍ତ୍ୱେ ବିବାହିତ ଝିଅକୁ ମୁଖାଗ୍ନି ଦେଲେ ମା, ଉପସ୍ଥିତ ଲୋକ ହୋଇଗଲେ ଆଶ୍ଚର୍ଯ୍ୟ

ପାଟନା: ପିଲାମାନେ ସେମାନଙ୍କ ପିତାମାତାଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇଥାନ୍ତି | ଯଦି ମୃତ ବ୍ୟକ୍ତିଙ୍କର ପୁଅ ନଥାଏ, ତେବେ ଝିଅ ଏହି କର୍ତ୍ତବ୍ୟ ପାଳନ କରନ୍ତି | କିନ୍ତୁ ବିହାରର ଗୟାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଯେତେବେଳେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଥିବା ସତ୍ତ୍ୱେ ଜନ୍ମକଲା ମା ମୁଖାଗ୍ନି ଦେଇଛନ୍ତି | ମୃତକ ମହିଳାଙ୍କ ସ୍ୱାମୀ ଜୀବିତ ଥିଲେ ମଧ୍ୟ ଉକ୍ତ ମହିଳାଙ୍କ ମା’ହିଁ ମୁଖାଗ୍ନି ଦେଇଛନ୍ତି | ଏହା ଦେଖି ଗୟା ସ୍ମଶାନରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି କାନ୍ଦିପକାଇଥିଲେ | ମିଳିଥିବା ସୂଚନା ମୁତାବକ ଦିଲ୍ଲୀରେ ରହୁଥିବା ସପନା ଚୌଧୁରୀ ୬ ବର୍ଷ ପୂର୍ବେ ବିହାର ଚାନ୍ଦଚୁରା ଅଞ୍ଚଳର ବାସିନ୍ଦା ହେମନ୍ତ ଚୌଧୁରୀଙ୍କୁ ବିବାହ କରିଥିଲେ।

ଗୁରୁବାର ଦିନ ସପନାଙ୍କର ମୃତଦେହ ତାଙ୍କ ଶାଶୁଘରୁ ମିଳିଥିଲା | ଅନୁସନ୍ଧାନରୁ ଜଣାପଡିଛି ଯେ ସପନାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ରହିଛି। ଗତ ଦୁଇ ବର୍ଷ ତଳେ ବିବାହ ହୋଇଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ସପନାଙ୍କ ମାତା ସାବିତ୍ରୀ ଦେବୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁଘର ଲୋକ ମିଶି ସପନାଙ୍କୁ ହତ୍ୟା କରିଛନ୍ତି। ଆଉ ଅଭିଯୋଗ ପରେ ପୁଲିସ ସ୍ୱାମୀ ହେମନ୍ତ ଚୌଧୁରୀକୁ ଗିରଫ କରିଛି।

ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ମୃତଦେହର ବ୍ୟବଚ୍ଛେଦ ପରେ ପୁଲିସ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲା । ଆଉ ଯେତେବେଳେ ତାଙ୍କର ମୁଖାଗ୍ନି ଦେବାର ସମୟ ଆସିଥିଲା, ମା ସାବିତ୍ରୀ ଆଗକୁ ଯାଇ କହିଥିଲେ ମୁଁ ହିଁ ମୁଖାଗ୍ନି ଦେବି | ମାଆ ଝିଅକୁ ମୁଖାଗ୍ନି ଦେବା କଥା ଶୁଣି ଉପସ୍ଥିତ ଥିବା ବ୍ରାହ୍ମଣ ଏବଂ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ସାବିତ୍ରୀ ଦେବୀ ତାଙ୍କ ଝିଅର ଚିତାରେ ମୁଖାଗ୍ନି ଦେଇଥିଲେ |

ସମ୍ବନ୍ଧିତ ଖବର