ନୂଆଦିଲ୍ଲୀ: ସ୍ବାମୀ ଆତ୍ମସ୍ଥାନାନନ୍ଦଙ୍କ ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗଦେଇ ଭାରତୀୟ ସନ୍ଥ ପରମ୍ପରା ଓ ମାଆ କାଳୀଙ୍କ ପ୍ରତି ଭାରତୀୟ ସନ୍ଥଙ୍କ ଭକ୍ତିକୁ ପ୍ରଶଂସା କରିଛନ୍ତି। ସ୍ବାମୀ ଆତ୍ମସ୍ଥାନାନନ୍ଦଙ୍କ ସହିତ ସେ କଟାଇଥିବା ସମୟର ଘଟଣାଗୁଡ଼ିକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ସ୍ବାମୀଜୀଙ୍କ ଫଟୋ ସମ୍ବଳିତ ଜୀବନୀ ପୁସ୍ତକ ଏବଂ ଏକ ଡକ୍ୟୁମେଣ୍ଟାରିର ଉନ୍ମୋଚନ ପ୍ରଧାନମନ୍ତ୍ରୀ କରିଛନ୍ତି। ଏହା ତାଙ୍କୁ ଆନନ୍ଦ ପ୍ରଦାନ କରିଛି ବୋଲି ମୋଦୀ କହିଛନ୍ତି। ଭାରତର ସନ୍ନ୍ୟାସ ପରମ୍ପରାରେ ବିବେକାନନ୍ଦ ଆଧୁନିକତା ଆଣିଥିଲେ ଏବଂ ସ୍ବାମୀ ଆତ୍ମସ୍ଥାନାନନ୍ଦ ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ। ଆତ୍ମସ୍ଥାନାନନ୍ଦଙ୍କ ସହିତ ସେ ଗୁଜରାଟୀ ଭାଷାରେ କଥା ହୋଇଥିଲେ। ଏହା ତାଙ୍କର ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିବା ସହ କଚ୍ଛ ଭୂମିକମ୍ପ ସମୟରେ ସ୍ବାମୀଜୀଙ୍କ ସହାୟତା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ସେ କହିଥିଲେ- ସମସ୍ତ ଜାଣନ୍ତି, ରାମକୃଷ୍ଣ ମିସନର ସନ୍ଥମାନେ ଜାତୀୟ ଏକତାର ବାହକ। ରାମକୃଷ୍ଣ ପରମହଂସ ମାଆ କାଳୀଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପିତ କରିଦେଇଥିଲେ। ବିଶ୍ବରେ ସବୁକିଛି ମାଆଙ୍କ ଦିବ୍ୟଶକ୍ତିର ପରିପ୍ରକାଶ। ପଶ୍ଚିମବଙ୍ଗରେ ମାଆ କାଳୀଙ୍କ ପୂଜା ସମୟରେ ଏହି ଦିବ୍ୟଶକ୍ତି ଦେଖିବାକୁ ମିଳିଥାଏ। ମାଆ କାଳୀଙ୍କ ଐଶ୍ବରିକ ଶକ୍ତି ସ୍ବାମୀ ବିବେକାନନ୍ଦଠାରେ ଅତିରିକ୍ତ ଶକ୍ତି ଓ କ୍ଷମତା ଆଣି ଦେଇଥିଲା ଓ ମାଆଙ୍କ ଆଶୀର୍ବାଦ ଭାରତ ସହିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ଉଦ୍ଧାର କରି ବିଜେପି ନେତା ଅମିତ ମାଲବ୍ୟ ନିକଟରେ ମାଆ କାଳୀଙ୍କୁ ନେଇ ହୋଇଥିବା ବିବାଦୀୟ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ମାଆ କାଳୀ ବେବଳ ବଙ୍ଗଳାର ନୁହଁନ୍ତି, ମାଆ ହେଉଛନ୍ତି ସାରା ଭାରତର ଭକ୍ତି କେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ତୃଣମୂଳ କଂଗ୍ରେସ କେବଳ ଅନର୍ଥ ପାଇଁ ମାଆ କାଳୀଙ୍କୁ ଅପମାନିତ କରୁଛି। ମାଆ କାଳୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ସାଂସଦଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବି କରିଛି।