ଦିଅର ବାହାଘର ପାଇଁ ଅଧିକ ଗହଣା କିଣାହେବାରୁ ତିନି ଶିଶୁଙ୍କ ସହ ବିଷ ପିଇଲା ମା

ଲଖନଉ: ନିଜକୁ ମିଳିଥିବା ଗହଣାଠାରୁ ଦିଅରଙ୍କ ବାହାଘର ପାଇଁ ଅଧିକ ଗହଣା କିଣାହେବାରୁ ରାଗରେ ବିଷ ପିଇଲେ ମହିଳା | କେବଳ ନିଜେ ବିଷ ପିଇନାହାନ୍ତି ବରଂ ନିଜର ତିନି ଶିଶୁଙ୍କୁ ମଧ୍ୟ ବିଷ ପିଆଇଦେଇଛନ୍ତି | ଉତ୍ତରପ୍ରଦେଶର ଦେବରିଆରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଦେବରିଆର କଟହଲବା ଗାଁରେ ୩୨ ବର୍ଷୀୟ ରଂଗୀତାଙ୍କ ଦିଅରଙ୍କର ବାହାଘର ଆସନ୍ତା ମେ ମାସରେ ହେବାର ଥିଲା |

ଆଉ ନୂଆ ବୋହୂ ପାଇଁ ୨ ଦିନ ତଳେ ଗହଣା କିଣାଯାଇଥିଲା | ତେବେ ରଂଗୀତାଙ୍କ ପାଖରେ ଯେତେ ଅଳଙ୍କାର ଥିଲା, ତାହାଠାରୁ ସାମାନ୍ୟ ଅଧିକ ଗହଣା ନୂଆ ବୋହୂ ପାଇଁ କିଣାଯାଇଥିଲା | ଆଉ ଏହି ଘଟଣାକୁ ନେଇ ରଂଗୀତା ଭୀଷଣ ଭାବରେ ରାଗିଯାଇଥିଲେ | ଗତକାଲି ରାତିରେ ପରିବାର ସଦସ୍ୟଙ୍କୁ ଖାଇବାକୁ ଦେବା ପରେ ରଂଗୀତା ନିଜର ୧୦ ବର୍ଷୀୟ, ୬ ବର୍ଷୀୟ ଓ ୫ ବର୍ଷୀୟ ପୁଅଙ୍କୁ ନେଇ ଶୋଇବାକୁ ଚାଲିଯାଇଥିଲେ |

ଆଉ ନିଜେ ବିଷ ପିଇବା ସହ ତିନି ପୁଅଙ୍କୁ ମଧ୍ୟ ବିଷ ପିଇବାକୁ ଦେଇଥିଲେ | ବିଷ ସେବନ ପରେ ପିଲାମାନେ ଅସୁସ୍ଥ ଅନୁଭବ କରି ପାଟି କରିବାରୁ ପରିବାର ସଦସ୍ୟ ସେମାନଙ୍କୁ ଉଦ୍ଧାର କରିଥିଲେ | ତେବେ ରଂଗୀତା ଓ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ପୁଅ ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି | ଆଜି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି |

ସମ୍ବନ୍ଧିତ ଖବର