ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ତିନିଥର ଗୁଳିମାଡ଼ କରାଯାଇ ହତ୍ୟା କରାଯିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ଧର୍ମରାଜ ରାଜେଶ କଶ୍ୟପ(୧୯)। ଯିଏକି ଉତ୍ତରପ୍ରଦେଶ ବହରାଇଚରେ ବସବାସ କରେ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତର ନାମ ଗୁରମୈଲ ବଲଜିତ ସିଂହ। 

Advertisment

ଧର୍ମରାଜ ରାଜେଶ କଶ୍ୟପଙ୍କ ମା’ଙ୍କ କହିବାନୁସାରେ, ‘ଆଜ୍ଞା ଏସବୁ ଘଟଣା ଶୁଣିବା ପରେ ମୁଁ ସ୍ଥାଣୁ ପାଲଟି ଯାଇଛି। କ’ଣ କହିବି ମୋ ପାଖରେ କିଛି ଶବ୍ଦ ନାହିଁ। ମୁଁ ଜାଣିଥିଲି ମୋ ପୁଅ ପୁ‌ଣେରେ କାମ କରେ। କିନ୍ତୁ ସେ ଯେ ମୁମ୍ବାଇରେ ଅଛି। ସେ କଥା ମୁଁ ଆଦୌ ଜାଣି ନଥିଲି। ଯେତେବେଳେ ବି ଫୋନରେ ତା’ ସହିତ କଥା ହୁଏ ସେ ପୁଣେରେ କାମରେ ବ୍ୟସ୍ତ ଅଛି କହି କାଟି ଦିଏ ।ବେଶୀ କିଛି ତା ସହିତ କଥା ହୋଇପାରେ ନାହିଁ।’

 ସେହିପରି ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଅଭିଯୁକ୍ତ ଗୁରମୈଲର ଜେଜେମା’ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଗୁରମୈଲର ସାବତ ଭାଇ ସହିତ ବସବାସ କରେ। ୨୦୧୯ରେ ଏକ ହତ୍ୟା ମାମଲାରେ ଗୁରମୈଲ ଜେଲରେ ବନ୍ଦୀ ଥିଲା। ତିନିଚାରିମାସ ପୂର୍ବେ ସେ ଜାମିନରେ ବାହାରକୁ ଆସିଥିଲା। ତାକୁ କିଏ ଜାମିନରେ ଆଣିଥିଲା ଓ କେଉଁ ଉଦ୍ଦେଶ୍ୟରେ ବାହାରକୁ ଅଣାଯାଇଥିଲା ତାହାକୁ ନେଇ ଆଜି ପର୍ଯ୍ୟନ୍ତ ଆମେ କୌଣସି ପ୍ରକାର ସୂଚନା ପାଇ ପାରିନାହୁଁ।

ଜାମିନରେ ଆସିବା ପରେ ଗୁରମୈଲ ଘରକୁ ଆସିଥିଲା। ମୁଁ କୌଣସି କାମରେ ବାହାରକୁ ଯାଇଥିଲି। ସେଠାରୁ ଫେରିଲା ବେଳକୁ ସେ ଘରୁ ଚାଲି ଯାଇଥିଲା। ତା’ ସହିତ ମୋର ଭେଟ ହୋଇ ପାରି ନଥିଲା। ଗୁରମୈଲର ପିଲାଟି ଦିନରୁ ଖୁବ ଗଣ୍ଡଗୋଳ କ‌ରେ ସେଥିପାଇଁ ତାକୁ ୧୧ବର୍ଷ ବୟସରେ ଘରୁ ବାହାର କରି ଦିଆଯାଇଥିଲା। ’