ପୁଣେ: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାର ଅଭିଯୁକ୍ତକୁ ମଙ୍ଗଳବାର ଜାମିନ ମିଳିଥିଲା | ପ୍ରା‌ୟ ମାସେ ରିମାଣ୍ଡ ହୋମରେ ରହିବା ପରେ ଅଭିଯୁକ୍ତ ନାବାଳକକୁ ଜାମିନ୍ ଦେଇଥିଲେ ବମ୍ବେ ହାଇକୋର୍ଟ। କୋର୍ଟର ଏଭଳି ରାୟ ପରେ ଭାଙ୍ଗି ପଡିଛନ୍ତି ମୃତକଙ୍କ ମା' | ଗୋଟେ ମା'ର ଦୁଃଖ ବୁଝନ୍ତୁ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି |

Advertisment

ଅଶ୍ବିନୀ କୋଶଟାଙ୍କ ମା' କହିଛନ୍ତି ଯେ, “ଏହି ଖବର ପାଇବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି | ଭଲ ଭାବରେ ବିଚାର କରିବା ପରେ ସେମାନେ ନିଶ୍ଚିତ ଭାବରେ ନିଷ୍ପତ୍ତି ନେଇଥିବେ | ତଥାପି, ମୋ ଯନ୍ତ୍ରଣାକୁ ବୁଝିବା ପାଇଁ ମୁଁ ବିଚାରପତିମାନଙ୍କୁ ଅନୁରୋଧ କରୁଛି | ସେହି ଅନୁଯାୟୀ ଦଣ୍ଡ ଦିଆଯିବା ଉଚିତ ଯାହା ଦ୍ୱାରା ଜନସାଧାରଣ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ କରିପାରିବେ। ପୁଣେରେ ଅନେକ ଝିଅ ରହୁଛନ୍ତି | ଦୋଷୀକୁ ଦଣ୍ଡ ଦିଆନଗଲେ ଲୋକଙ୍କ ମନରେ ଆଉ ଅପରାଧ କରିବା ପୂର୍ବରୁ ଡର ରହିବ ନାହିଁ |”

ଉଲ୍ଲେଖଯୋଗ୍ୟ, ମେ' ୧୯ରେ ୨ଜଣ ଇଞ୍ଜିନିୟର(ଜଣେ ମହିଳା ଓ ଜଣେ ପୁରୁଷ) ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ନାବାଳକ ଚଳାଉଥିବା ପୋର୍ସେ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକମାନେ ଥିଲେ ଅନୀଷ ଅୱଧୀୟ ଓ ଅଶ୍ବିନୀ କୋଶଟା। ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ନାବାଳକ ଥିବାରୁ ତାକୁ ଜାମିନ୍ ଦିଆଯାଇ ତା’ର ବାପାକୁ ଗିରଫ କରିଥିଲା ପୁଲିସ। ହେଲେ ନାବାଳକର ଜାମିନକୁ ବିରୋଧ କରାଯିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତର ଜାମିନ ରଦ୍ଦ କରିଥିଲେ। ମଙ୍ଗଳବାର ପୁଣି ତାଙ୍କୁ ଜାମିନ ମିଳିଛି। ବାହାରକୁ ଆସିବା ପରେ ସେ ନିଜ ସମ୍ପର୍କୀୟଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି।