ନୂଆଦିଲ୍ଲୀ: ମା’ ନିଜ ପୁଅର ଏକ ବଡ଼ କ୍ଷତି କରିଥିବାର ଘଟଣା ସାମ୍ନାକୁ ଆସିଛି। ଏତେ ବଡ଼ କ୍ଷତି ସହିବା ହେତୁ ପୁଅ ଚିନ୍ତାରେ ପଡ଼ି ଯାଇଥିଲେ। ଖାଇବା ପିଇବା ବି ଭୁଲି ଯାଇଥିଲେ। ସବୁଠାରୁ ଦୁଃଖର ବିଷୟ ହେଉଛି ମା’ ଅଜାଣତରେ ପୁଅର ୩୦୦୦ କୋଟି ଟଙ୍କା ନଷ୍ଟ କରି ଦେଇଥିଲେ।
ବ୍ୟକ୍ତି ଜଣକ କହିଛନ୍ତି ଯେ, ତାଙ୍କ ମା’ଙ୍କ ଛୋଟ ଭୁଲ ହେତୁ ସେ ୩୦୦୦ କୋଟି ଟଙ୍କା ହରାଇଥିଲେ ଏବଂ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି।
ଏହି ବ୍ୟକ୍ତି ୨୦୧୦ ମସିହାରେ ୬ ହଜାର ଟଙ୍କାରେ ୧୦ ହଜାର ବିଟକଏନ୍ କିଣିଥିଲେ। ସେହି ସମୟରେ ବ୍ୟକ୍ତି ଜଣକ କଲେଜରେ ପାଠପଢ଼ୁଥିଲେ। ଅବଶ୍ୟ କଲେଜ ପାସ କରିବା ପରେ ସେ ଚାକିରି ପାଇଯାଇଥିଲେ। ଆଉ ଭୁଲି ଯାଇଥିଲେ କି ସେ କେବେ କ୍ରିପ୍ଟୋକରେନ୍ସି କିଣିଛନ୍ତି ।
ଏହା ପରେ, ଯେତେବେଳେ ସେ ଗତ କିଛି ବର୍ଷ ମଧ୍ୟରେ କ୍ରିପ୍ଟୋକରେନ୍ସି ବଜାର ବିଷୟରେ ଶୁଣିଥିଲେ, ସେତେବେଳେ ସେ କିଣିଥିବା ବିଟକଏନକୁ ମନେ ପକାଇଥିଲେ। ତା’ପରେ ଘରକୁ ଯିବା ପରେ ସେ ନିଜ ଲାପଟପ୍ ଖୋଜିବା ଆରମ୍ଭ କରିଥିଲେ। ଯେଉଁଥିରେ ସେ ୧୦ହଜାର ବିଟକଏନର ସବିଶେଷ ତଥ୍ୟ ରଖିଥିଲେ। ସେ ଦୀର୍ଘ ସମୟ ଧରି ସେହି ଲାପଟପକୁ ଖୋଜିଥିଲେ, କିନ୍ତୁ କେଉଁଠି ମିଳିଲା ନଥିଲା। ଏହା ପରେ ସେ ତାଙ୍କ ମା’ଙ୍କୁ ଲାପଟପ୍ ବିଷୟରେ ପଚାରିଥିଲେ।
ଯେତେବେଳେ ମା’ ଲାପଟପ୍ ବିଷୟରେ କହିଥିଲେ ପୁଅ ସ୍ତବ୍ଧ ହୋଇଯାଇଥିଲେ। କାରଣ ମା’ ପୁଅକୁ କହିଥିଲେ କି, ସେ ଭାବିଥିଲେ କି ଉକ୍ତ ଲ୍ୟାପଟପ ଖରାପ ହୋଇଯାଇଛି। ତେଣୁ ସେ ଏହାକୁ ଅଳିଆଗଦାରେ ଫିଙ୍ଗି ଦେଇଥିଲେ।
ବ୍ୟକ୍ତି ଜଣକ କହିଛନ୍ତି ଯେ ଏହି ଘଟଣା ପରେ ସେ ଦୀର୍ଘ ଦିନ ଧରି ଅବସାଦଗ୍ରସ୍ତ ରହିଥିଲେ। ଏଇ କିଛିଦିନ ହେବ ସେ ସ୍ବାଭାବିକ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଜି ବି ସେ ଏତେଗୁଡାଏ ଟଙ୍କାକୁ ହରାଇ ଥିବାରୁ ଅନୁତାପ କରନ୍ତି।