ଭୋପାଳ: ଲକ୍‌ଡାଉନ୍‌ ପାଇଁ ଭ‌ାରତରେ ବିଭିନ୍ନ ସ୍ଥାନରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଦିନ ମଜୁରିଆମାନେ ନିଜ ଘରକୁ ଫେରିବାପାଇଁ ଅନେକ ବାଟ ଚାଲୁଛନ୍ତି। କିଛିଦିନ ତଳେ ମୁମ୍ବାଇରୁ ଜଣେ ଯୁବକ ନିଜ ଅସୁସ୍ଥ ବାପାଙ୍କୁ ଭେଟିବାପାଇଁ ସାଇକେଲ୍‌ ଚଳାଇ ଜମ୍ମୁ ବାହାରିଥିଲେ। କିନ୍ତୁ ତାଙ୍କୁ ସିଆରପିଏଫ୍‌ ପକ୍ଷରୁ ସହଯୋଗ କରାଯାଇଥିଲା। ଠିକ୍‌ ଏଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ତେଲେଙ୍ଗାନାରେ ଜଣେ ମା' ଦୀର୍ଘ ୧୪୦୦ କିମି ବାଟ ସ୍କୁଟି ଚଳାଇ ନିଜ ପୁଅକୁ ଆନ୍ଧ୍ରପ୍ରଦେଶରୁ ଘରକୁ ଫେରାଇ ଆ‌ଣିଛନ୍ତି।

Advertisment

ତେଲେଙ୍ଗାନା ନିଜାମାବାଦ୍‌ ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ଥିବା ତାଙ୍କ ପୁଅକୁ ଫେରାଇ ଆଣିବାପାଇଁ ନିଜ ୨ ଚକିଆ ଯାନରେ ଯା‌ଇଥିଲେ। ଉକ୍ତ ମହିଳା ଜଣଙ୍କ ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାମ ରେଜିଆ ବେଗମ୍‌। ମହାରାଷ୍ଟ୍ର -ତେଲେଙ୍ଗାନା ସୀମାର ବୋଧନ ସହରରେ ସେ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ। ଗତ ସୋମବାର ଦିନ ସେ ତେଲେଙ୍ଗାନାରୁ ତାଙ୍କ ସ୍କୁଟିରେ ଯାତ୍ରା ଆରମ୍ଭ କରିଥିଲେ। ଆନ୍ଧ୍ରପ୍ରଦେଶ-ତାମିଲନାଡ଼ୁ ସୀମାର ନେଲ୍ଲୋର୍‌ରେ ସେ ମଙ୍ଗଳବାର ଅପରାହ୍ନରେ ପହଞ୍ଚିଲେ। ୧୭ ବର୍ଷୀୟ ପୁଅ ମହମ୍ମଦ ନିଜାମୁଦ୍ଦିନ୍‌କୁ ଧରି ସେ ବୁଧବାର ସନ୍ଧ୍ୟାରେ ଆ‌ସି ଘରେ ପହଞ୍ଚିଥିଲେ। ୩ ଦିନର ଲମ୍ବା ଯାତ୍ରାରେ ରେଜିଆ ବେଗମ୍‌ ଦୀର୍ଘ ୧୪୦୦ କିମି ବାଟ ସ୍କୁଟି ଚଲାଇଥିଲେ। ରେଜିଆଙ୍କ ସ୍ବାମୀ ନାହାନ୍ତି। ସେ ଏକାକି ୨ ପିଲାଙ୍କୁ ବଢ଼ାଇଛନ୍ତି।

ରେଜିଆଙ୍କ ପୁଅ ମେଡିକାଲ ପରୀକ୍ଷା ପାଇଁ ହାଇଦ୍ରାବାଦ୍‌ରେ ପ୍ରସ୍ତୁତି ହେଉଥିଲେ। ତେବେ ସେ ତାଙ୍କ ବନ୍ଧୁଙ୍କ ଅସୁସ୍ଥ ବାପାଙ୍କୁ ସହଯୋଗ କରିବାପାଇଁ ନେଲ୍ଲୋର ଯାଇଥିବାବେଳେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଥିଲା। ଲକ୍‌ଡାଉନ୍‌ ବିଷୟରେ ଶୁଣି ନିଜାମୁଦ୍ଦିନ୍‌ଙ୍କ ମା' ସ୍ଥାନୀୟ ଏସିପିଙ୍କଠାରୁ କର୍ଫ୍ୟୁ ପାସ୍‌ ଆଣିଥିଲେ। ବ୍ୟାଗ୍‌ରେ କିଛି ଖାଦ୍ୟ ନେଇ ରେଜିଆ ବେଗମ୍‌ ନେଲ୍ଲୋରକୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ଚେକ୍‌ପଏଣ୍ଟ୍‌ରେ ପୁଲିସ ତାଙ୍କୁ ଅଟକାଇଥିଲା। କିନ୍ତୁ ପରେ ପୁଲିସ ବାସ୍ତବ କଥା ଜାଣିବାପରେ ତାଙ୍କୁ ସହଯୋଗ କରିଥିଲା।