ମା ଦୁର୍ଗାଙ୍କ ଅବତାରରେ ନଜର ଆସିବେ ପ୍ରବାସୀ ମା: କୁନି ପିଲାଙ୍କୁ ଧରି ରାସ୍ତାରେ ଚାଲିଥିଲେ, ଶିଳ୍ପୀଙ୍କ ହାତରେ ଶୋଭା ପାଇଲେ

କୋଲକାତା: କୁହାଯାଏ ପାର୍ବଣ ଆସିଲେ ମାଆ ଆସନ୍ତି । ଶରତ ଆସିଲେ ମାଆଙ୍କ ଆଗମନୀ ହୁଏ । ଆଉ ଧରାବତରଣ କରନ୍ତି ମାଆ ଜଗତ ଜନନୀ । ହେଲେ ପାର୍ବଣ ପୂର୍ବରୁ କିନ୍ତୁ ମାଆ ପାଖରେ ଥାଆନ୍ତି । ମାଆ କେବେ ଯାଏ ନା ଆସେ । ମାଆ ଏଇଠି ଥାଏ, ଆମ ପାଖରେ ଥାଏ । ଅଦୃଶ୍ୟ ଶକ୍ତି ସାଜି ଆମ ଭଲମନ୍ଦ ବୁଝୁଥାଏ, ଆମ ଲୁହ ପୋଛୁଥାଏ, ଦୁଃଖ ହାରୁଥାଏ | କିଏ ରକ୍ତ ମାଂସର ମାଆକୁ ପୂଜୁଥାଏ ତ ଆଉ କିଏ ମାଟିର ମାଆକୁ । ଦୁର୍ଗାଙ୍କ ସ୍ଥାନରେ ଏଥର ପୂଜା ପାଇବେ ପ୍ରବାସୀ ମାଆ । ଲକଡାଉନ ସମୟରେ ପ୍ରବାସୀ ମହିଳାମାନେ କାଖରେ ପିଲା ଧରି କେତେ କଷ୍ଟରେ ଘରକୁ ଫେରିଥିଲେ, ନିଜ ପିଲାଙ୍କ ପେଟରେ ଦାନା ଦେବାକୁ କେତେ ସଂଘର୍ଷ କରିଥିଲେ ।

ସଙ୍କଟ ବେଳର ସେହି ମାଆମାନଙ୍କ ତ୍ୟାଗ, ବଳିଦାନ ଓ ପରିଶ୍ରମକୁ ମନେ ପକାଇଛନ୍ତି କୋଲକାତାର ଦୁଇଟି ପୂଜା ପେଣ୍ଡାଲ । ଆଉ ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କ ଦୁଃଖକୁ ଦେଖାଇବାକୁ ଯାଇ ଦୁର୍ଗାଙ୍କ ସ୍ଥାନରେ ଏଥର ଗଢାଯାଇଛି ଏମିତି ମୂର୍ତ୍ତି । ଦଶହରାରେ ଏଥର ପ୍ରବାସୀ ଶ୍ରମିକଙ୍କ ଦୁଃଖକୁ ଏମିତି ଢଙ୍ଗରେ ପ୍ରଦର୍ଶିତ କରାଯାଉଥିବାରୁ ଏ ଫଟୋ ଦୁଇଟି ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଲକଡାଉନ ବେଳେ ଅନେକ ପ୍ରବାସୀ ମାଆଙ୍କ ଦୁଃଖ ଦେଖିଛି ଏ ଦେଶ । ରାସ୍ତାରେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ଫେରିବା ବେଳେ ମାଆମାନଙ୍କ ଯନ୍ତ୍ରଣା ମାପିଛି ଏ ମାଟି । ଏପ୍ରିଲ, ମେ’ ଧୁଧୁ ଖରାରେ ଯେତେବେଳେ ଜୀବନ ପୋଡିଯାଉଥିଲା, ଦେହ ଝାଉଁଳିଯାଉଥିଲା ଠିକ ସେତିକି ବେଳେ ନିଜ ପିଲା ମୁଣ୍ଡରେ ତା ଚିରା କାନିକୁ ଢାଙ୍କି ଅସରନ୍ତି ରାସ୍ତାରେ ଅସହାୟ ମାଆଟିଏ ଆଗେଇ ଆଗେଇ ଯାଉଥିଲା ।

ତତଲା ପିଚୁରେ ପାଦ ଫୋଟକା ହୋଇଯାଉଥିଲା, ଚମଡା ଛେଲି ହୋଇଯାଉଥିଲା । ତଥାପି ମାଆଟିଏ ମମତା ପାଇଁ ଥକୁନଥିଲା । କେବେ ତା ଥକିପଡିଥିବା ଛୁଆକୁ ସୁଟକେଶରେ ଶୁଆଇ ଦେଇ ଆଗେଇ ଚାଲିଥିଲା ତ କେବେ ତା ସୁନା ପିଲାକୁ ଖାଇବା ଟିକେ ଦେବାକୁ ମାଆଟିଏ ଅଳିଆଗଦା ଅଣ୍ଡାଳୁଥିଲା । ଛୁଆକୁ ସୁରକ୍ଷା ଦେବାକୁ ମହିଷାସୁରକୁ ମାରିବା ପରି ବାଟସାର ମହାମାରୀକୁ ମାରି ମାରି ମାଆ ମହିଷାମର୍ଦ୍ଦିନୀ ସାଜିଥିଲା । ମାଆକୁ ମାପିବା ସହଜ ନୁହେଁ, ମାଆକୁ ବୁଝିବା ବାଁ ହାତର କଥା ନୁହେଁ । ମାଆ, ମାଟିରୁ ଆକାଶ । କେବେ ସେ ସ୍ନେହମୟୀ, ମମତାମୟୀ ତ କେବେ ଦୁର୍ଗତୀନାଶିନୀ । ପିଲାକୁ ଖୁଆଇ ନିଜେ ଭୋକେ ରହି ମାଆ ଉପାସ ଶୋଇପଡେ ତ କେଉଁଠି ମଲାଯାଏଁ ମାଆ ପିଲାଙ୍କ ବୋଝ ବହୁଥାଏ । ସେଇଥିପାଇଁ ତ ମାଆ ସହିପାରୁଥିବା, ସଂହାର କରିପାରୁଥିବା, ଯନ୍ତ୍ରଣାର ନିଆଁରେ ଜଳିପାରୁଥିବା ଜଣେ ଜୀବନ୍ତ ଦେବୀ |

ସମ୍ବନ୍ଧିତ ଖବର