ଉତ୍ତରପ୍ରଦେଶ: ପ୍ରୟାଗରାଜର ମହାକୁମ୍ଭ ମେଳାରେ ବୁଡ ପକାଇବାକୁ ସମସ୍ତଙ୍କ ଇଚ୍ଛା ଥାଏ । ବୁଡ ପକାନ୍ତୁ ବା ନ ପକାନ୍ତୁ ମହାକୁମ୍ଭରେ ନିଜକୁ ସାମିଲ କରାଇବାକୁ ସମସ୍ତଙ୍କର ସ୍ବପ୍ନ ଥାଏ । କାରଣ ପବିତ୍ର ଭୂମିରେ ଥରେ ପାଦ ପଡିଲେ ପାପ ଦୂର ହେଇଯାଏ ବୋଲି ବିଶ୍ବାସ ରହିଛି ଆଉ ତ୍ରିବେଣୀ ସଙ୍ଗମରେ ବୁଡ ପକେଇଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ତେଣୁ ଏଠାକୁ ଯିବାକୁ ଯେତେବେଳେ ସମସ୍ତେ ମନ କରନ୍ତି ସେତେବେଳେ ୯୫ ବର୍ଷୀୟା ବୁଢୀ ମାଆର ମନ ବା କେମିତି ଘରେ ରୁହନ୍ତା କହିଲେ । ତେଣୁ କୁମ୍ଭମେଳା ବୁଲେଇ ନେବାକୁ ନିଜ ପୁଅକୁ କୁହେ ବୁଢୀମାଆ । ସେପଟେ ନିଜ ଗୋଡ ଖରାପ ଥିଲେ ବି ମାଆର ଇଚ୍ଛା ଆଗରେ ସବୁକିଛି ଫିକା ପଡିଯାଏ, ମାଆର ସ୍ବପ୍ନ ପୂରା କରିବା ପାଇଁ ନିଜ କଷ୍ଟକୁ ପଛରେ ପକେଇ ମହାକୁମ୍ଭ ଅଭିମୁଖେ ମାଆକୁ ନେଇ ଯାତ୍ରା ଆରମ୍ଭ କରେ କଳିଯୁଗର ଶ୍ରବଣ କୁମାର ।
ପାଦରେ ଚପଲ, ମୁଣ୍ଡରେ ପଗଡି, ଦେହରେ ଧଳା ପାଇଜାମା ପିନ୍ଧି ବୃଦ୍ଧା ମାଆକୁ ବଦଳଗାଡି ନିଜେ ଟାଣି ଟାଣି ପ୍ରୟାଗରାଜ କୁମ୍ଭମେଳା ବୁଲାଇବାକୁ ଘରୁ ବାହାରି ଯାଆନ୍ତି ଉତ୍ତରପ୍ରଦେଶ ମୁଜାଫରନଗର ମେଘପୁର ଗାଁର ୬୫ ବର୍ଷୀୟ ସୁଦେଶ ପାଲ୍ ମଲ୍ଲିକ । ଶୀତ ଦିନ, ବାଟ ବାଟିକା ବିପଦ, ତଥାପି ମାଆର ମମତା ଆଗରେ ସେସବୁକୁ ଭୁଲି ନିଜେ ଘରଠୁ ୭୦୦ କିମି ଚାଲି ଚାଲି ମହାକୁମ୍ଭ ପାଇଁ ବାହାରିଛନ୍ତି । ଆଉ ସୁଦେଶଙ୍କୁ ଯିଏ ବାଟରେ ଦେଖୁଛି ମାଆଙ୍କ ପ୍ରତି ଥିବା ତାଙ୍କର ଭଲପାଇବା ଏବଂ ପୁଅପଣିଆକୁ ପ୍ରଶଂସା କରୁଛି । ଆଉ କହୁଛି ସତରେ ତୁମେ ଏ ଯୁଗର ଶ୍ରବଣ କୁମାର ।
जय हो कलयुग के श्रवण कुमार की..
— Kuldeep Panwar (@Sports_Kuldeep) January 28, 2025
95 साल की मां को महाकुंभ स्नान करना था.. मुजफ्फरनगर के खतौली ब्लॉक के 65 वर्षीय सुदेश पाल मां को बग्गी में बैठाकर चल दिए हैं करीब 700 किमी दूर #प्रयागराज #MahaKumbhMela2025 #महाकुंभ_2025_प्रयागराज #mahakumbh2025prayagraj
📸 @SalimAh86271631 pic.twitter.com/8CQGnGDOtf
ଆଜିର ସମାଜରେ ଯେତେବେଳେ ପୁଅ ବଡ ହେଲା ପରେ ମାଆବାପାଙ୍କୁ ପର କରିଦେଉଛି, କେଉଁଠି ମାଆକୁ ମାଡ ମାରିବାର ଖବର ଆସୁଛି ସେତେବେଳେ ୟୁପିରୁ ଆସିଥିବା ଏ ମମତାଭରା ଚିତ୍ର ଅନ୍ୟକୁ ପ୍ରେରଣା ଦେବ ନିଶ୍ଚିତ । ହୁଏତ ମାଆଙ୍କ ପ୍ରତି ତାଙ୍କର ପ୍ରଗାଢ ଭଲପାଇବା ତାଙ୍କୁ ଏମିତି ଯାତ୍ରା ପାଇଁ ପ୍ରେରଣା ଦେଇଛି ଯାହା ଅନ୍ୟମାନଙ୍କ ପାଇଁ ଅସମ୍ଭବ ।