ପାଟନା: ବିହାରରେ ନିକଟରେ ଏକ ରୢାଲିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଦିବଂଗତ ମା’ଙ୍କୁ ନେଇ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍‌ଜେଡି-କଂଗ୍ରେସକୁ ସମାଲୋଚନା କରିଛନ୍ତି। ଏହି ଦୁଇ ଦଳ ଦେଶର ମା’ମାନଙ୍କୁ ଅପମାନିତ କରୁଛନ୍ତି ଏବଂ ସେମାନଙ୍କର ଏଭଳି ହୀନ କାର୍ଯ୍ୟକୁ ଜନସାଧାରଣ କଦାପି କ୍ଷମା ଦେବେନାହିଁ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜନୈତିକ ମଞ୍ଚରୁ ତାଙ୍କ ମା’ଙ୍କ ପ୍ରତି ଏପରି ଅପମାନ ଅକଳ୍ପନୀୟ। ମୋଦୀ କହିଛନ୍ତି, ମା’ ହେଉଛନ୍ତି ଆମର ଦୁନିଆ। ମା’ ହେଉଛନ୍ତି ଆମର ସ୍ୱାଭିମାନ। 

Advertisment

କିଛି ଦିନ ପୂର୍ବେ ବିହାରରେ ଯାହା ଘଟିଥିଲା ମୁଁ କଳ୍ପନା ମଧ୍ୟ କରି ନଥିଲି। ବିହାରରେ ଆର୍‌ଜେଡି-କଂଗ୍ରେସର ମଞ୍ଚରୁ ମୋ ମା’ଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରାଯାଇଥିଲା ବୋଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁର୍ବ୍ୟବହାର କେବଳ ମୋ ମା’ଙ୍କ ପ୍ରତି ଅପମାନ ନୁହେଁ। ଏହା ଦେଶର ସମସ୍ତ ମା’, ଭଉଣୀ ଏବଂ ଝିଅଙ୍କ ପ୍ରତି ଅପମାନ। ମୁଁ ଜାଣେ ଏହା ଦେଖିବା ଏବଂ ଶୁଣିବା ପରେ ଆପଣମାନେ ସମସ୍ତେ, ବିହାରର ପ୍ରତ୍ୟେକ ମାଆ କେତେ ଖରାପ ଅନୁଭବ କରିଛନ୍ତି। ମୁଁ ଜାଣେ, ମୋ ହୃଦୟରେ ଯେତେ ଯନ୍ତ୍ରଣା ଅଛି, ବିହାରର ଲୋକମାନେ ମଧ୍ୟ ସମାନ ଯନ୍ତ୍ରଣାରେ ଅଛନ୍ତି। ମୋଦୀ ପ୍ରଶ୍ନ କରିଛନ୍ତି, ତାଙ୍କ ମା’ଙ୍କୁ କାହିଁକି ଅପମାନିତ କରାଗଲା ଯାହାଙ୍କର ରାଜନୀତି ସହ କୌଣସି ସମ୍ପୃକ୍ତି ନାହିଁ। ଆରଜେଡି- କଂଗ୍ରେସ ତାଙ୍କୁ କାହିଁକି ଦୁର୍ବ୍ୟବହାର କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। 

ମୋଦୀ କହିଛନ୍ତି,ଯେଉଁମାନେ ଏପରି ଅପମାନ କରୁଛନ୍ତି ସେମାନେ ମହିଳାମାନଙ୍କୁ ଦୁର୍ବଳ ଭାବୁଥିବା ମାନସିକତାକୁ ପ୍ରକାଶ କରନ୍ତି। ସେ କହିଛନ୍ତି ଯେ ବିହାରରେ କଂଗ୍ରେସର ‘ଭୋଟର ଅଧିକାର ଯାତ୍ରା’ ସମୟରେ ଘଟିଥିବା ଘଟଣା କେବଳ ତାଙ୍କୁ ନୁହେଁ ବରଂ ଦେଶର ପ୍ରତ୍ୟେକ ମହିଳାଙ୍କୁ ଅପମାନିତ କରିଛି। ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ସମବାୟ ପଦକ୍ଷେପର ଶୁଭାରମ୍ଭ ଅବସରରେ ମୋଦୀ କହିଛନ୍ତି ଯେ ବିହାରର ଏନ୍‌ଡିଏ ସରକାର ନିରନ୍ତର ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦେଇଆସିଛି।