ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ: ଇଣ୍ଡିଆ ଟୁଡେ ସର୍ଭେ

ନୂଆଦିଲ୍ଲୀ: ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସର୍ବାଧିକ ଭୋଟ ପାଇଛନ୍ତି | ଇଣ୍ଡିଆ ଟୁଡେ ଗ୍ରୁପ୍-କାର୍ଭି ଇନ୍ସାଇଟ୍ସ ମୁଡ୍ ଅଫ୍ ଦି ନେସନ୍ (MOTN) ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ସ୍ଥାନ ପାଇଛନ୍ତି। ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୂଲ୍ୟାୟନ ପାଇଁ ରାଜ୍ୟର ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ ନିଜ ନିଜ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଯୋଗୀ ଆଦିତ୍ୟନାଥ ଏବଂ ଉଦ୍ଧବ ଠାକରେଙ୍କୁ ପରାସ୍ତ କରି ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ |

ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୫୧% ନବୀନଙ୍କୁ ସମର୍ଥନ କରିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୪୧ ପ୍ରତିଶତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୩୯ ପ୍ରତିଶତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ୩୫% ସମର୍ଥନ କରିଛନ୍ତି | ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ରମାଗତ ଚତୁର୍ଥ ଥର ପାଇଁ ଜାତୀୟ ସ୍ତରରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଉଭା ହୋଇଛନ୍ତି। ସୂଚନା ଥାଉ କି ଏହା ପୂର୍ବରୁ ଘରୋଇ ଟିଭି ଚ୍ୟାନେଲ ଏବିପି ପକ୍ଷରୁ ‘ଦେଶ୍‌ କା ମୁଡ୍‌’ ନାମରେ ଏକ ବୃହତ୍ ସର୍ଭେରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ବିବେଚିତ ହୋଇଥିଲେ ।

ସବୁଠୁ ପସନ୍ଦଯୋଗ୍ୟ ଏବଂ ଭଲ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଥିଲେ । କେଜ୍ରିୱାଲଙ୍କ ପଛକୁ ତୃତୀୟ ସ୍ଥାନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ରହିଥିଲେ । ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଞ୍ଚମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଷଷ୍ଠ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସପ୍ତମ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଷ୍ଟମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନବମ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଦଶମ ସ୍ଥାନରେ ରହିଥିଲେ ।

ସମ୍ବନ୍ଧିତ ଖବର