ନୂଆଦିଲ୍ଲୀ: ମୋଟର ଯାନ ଦୁର୍ଘଟଣା ସଂକ୍ରାନ୍ତ ପିଟିସନ୍‌ ସଂପର୍କରେ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସମୟସୀମା ଅତିକ୍ରାନ୍ତ ହୋଇଥିବା ଦର୍ଶାଇ ଏ ସଂକ୍ରାନ୍ତ କୌଣସି ପିଟିସନ୍‌ ଖାରଜ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ରାୟ ଦେଇଛନ୍ତି। ଏହି ମାମଲାର ଶୁଣାଣିକୁ ତ୍ବରିତ ଭିତ୍ତିରେ ଶେଷ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେବା ସହିତ ନଭେମ୍ବର ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ସେହି ସମୟ ପର୍ଯ୍ୟନ୍ତ ସମୟ ଅତିକ୍ରାନ୍ତ ହୋଇଯାଇଥିବା କହି କୌଣସି ଆବେଦନକୁ ଖାରଜ କରାଯାଇପାରିବ ନାହିଁ ବୋଲି କହିଛନ୍ତି। ସୁପ୍ରିମ୍‌କୋର୍ଟର ବିଚାରପତି ଅରବିନ୍ଦ କୁମାର ଏବଂ ବିଚାରପତି ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ଏଭଳି ରାୟ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ମୋଟର ଯାନ ଆଇନର ଧାରା ୧୬୬ (୩)କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିଛନ୍ତି। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ ଦୁର୍ଘଟଣା ଘଟିବାର ୬ ମାସ ମଧ୍ୟରେ କ୍ଷତିପୂରଣ ପାଇଁ ଯଦି ଆବେଦନ କରାଯାଇ ନଥାଏ ତା’ହେଲେ ସେଗୁଡ଼ିକୁ ଗ୍ରହଣ କରାଯିବ ନାହିଁ। ୨୦୧୯ ମସିହାରେ ଆଇନରେ କରାଯାଇଥିବା ସଂ‌ଶୋଧନ ଆଧାରରେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଛି ଏବଂ ୨୦୨୨ ଏପ୍ରିଲରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। 

ଆବେଦନକାରୀ ଦର୍ଶାଇଛନ୍ତି ଯେ ଦୁର୍ଘଟଣା କ୍ଷତିପୂରଣ ଦାବି ସଂକ୍ରାନ୍ତରେ ଆବେଦନ ପାଇଁ ୬ ମାସର ସମୟସୀମା ନିର୍ଦ୍ଧାରଣ କରାଯିବା ଦ୍ବାରା ସଡ଼କ ଦୁର୍ଘଟଣାର ପୀଡ଼ିତଙ୍କ ଅଧିକାର ସୀମିତ ହୋଇଯାଉଛି। ଏପ୍ରକାର କଠୋର ସମୟସୀମା ଧାର୍ଯ୍ୟ କରାଯିବା ଦ୍ବାରା ଉକ୍ତ ଆଇନର ଉଦ୍ଦେଶ୍ୟ ମଧ୍ୟ ପରାଭୂତ ହେଉଛି। ଏହି ଆଇନର ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣାର ପୀଡ଼ିତଙ୍କୁ ସୁବିଧା ଏବଂ ଆଶ୍ବସ୍ତି ପ୍ରଦାନ କରିବା। ଏଥିସହିତ ଆଇନର ନୂଆ ବ୍ୟବସ୍ଥାର ବୈଧତାକୁ ପିଟିସନ୍‌ରେ ଚ୍ୟାଲେଞ୍ଜ କରାଯାଇଛି। ଉକ୍ତ ସଂଶୋଧନ କେବଳ ଏକ ମନଇଚ୍ଛା ବ୍ୟବସ୍ଥା ନୁହେଁ, ବରଂ ସଡ଼କ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କର ମୌଳିକ ଅଧିକାରକୁ ଏହା ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ରଖାଯାଇଛି।