ରେଳ ଦୁର୍ଘଟଣା: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଶୋକ

ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଦୁର୍ଘଟଣାସ୍ଥଳରେ ଆଜି ପହଞ୍ଚିବେ ଅଶ୍ବିନୀ, ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଓଡ଼ିଶାର ବାଲେଶ୍ବରରେ ହୋଇଥିବା ଦୁର୍ଭାଗ୍ୟଜନକ‌ ରେଳ ଦୁର୍ଘଟଣା ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ଶୋକବ୍ୟକ୍ତ କରିଛନ୍ତି।

ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ରେଳ ଦୁର୍ଘଟଣାରେ ଜୀବନ ହାନି ହୋଇଥିବା ଖବରରେ ସେ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟର ସଫଳତା ଏବଂ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ରାଷ୍ଟ୍ରପତି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି, ରେଳ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ଦୁର୍ଘଟଣାରେ ବ୍ୟଥିତ ହୋଇଛନ୍ତି। ମୃତକମାନଙ୍କ ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ ମଧ୍ୟ ସେ କଥା ହୋଇ ପରିସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରଭାବିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଦୁର୍ଘଟଣା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଞ୍ଚି ସାରିଛନ୍ତି ଏବଂ ଅନ୍ୟମାନେ ଉଦ୍ଧାର କାର୍ଯ୍ୟରେ ଯୋଗଦେବା ପାଇଁ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି। ‌ଶୋକସନ୍ତପ୍ତ ପରିବାରବର୍ଗକୁ ସେ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ସେହିପରି, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦୁର୍ଘଟଣାସ୍ଥଳକୁ ମୁଁ ଗସ୍ତ କରୁଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ଗଭୀର ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ବର ଏବଂ କୋଲକାତାରୁ ଉଦ୍ଧାରକାରୀ ଦଳ ପଠାଯାଇଛି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଟିମ୍ ଏବଂ ବାୟୁସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଶନିବାର ଦିନ କୋଲକାତାରେ ଏକ କାର୍ଯ୍ୟକ୍ରମ ରହିଥିଲା। ସେ ଏହି ଗସ୍ତ ବାତିଲ କରି ସକାଳୁ ବାଲେଶ୍ବରରେ ପହଞ୍ଚିବେ ବୋଲି ସୂଚନା ମିଳିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ମଧ୍ୟ ଏହି ଦୁର୍ଘଟଣାରେ ମର୍ମାହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହିତ ଆହତଙ୍କୁ ରିଲିଫ ପ୍ରଦାନ ପାଇଁ ଖଡ଼ଗେ ନିବେଦନ କରିଛନ୍ତି। ରାହୁଲ ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ରାହୁଲ କଂଗ୍ରେସ କର୍ମୀ ଏବଂ ନେତାମାନଙ୍କୁ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର