ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ଶୋକସଭା: ଓଡ଼ିଆ ଜାତି ଓ ଅସ୍ତିତ୍ୱର ପରିଚୟ ଥିଲେ ମନୋରମା

ନର୍ଥକାରୋଲିନା/ଟରୋଣ୍ଟୋ/ଲଣ୍ଡନ/ଦୁବାଇ/ସିଙ୍ଗାପୁର/ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଖ୍ୟାତ ସାହିତ୍ୟିକ, କବୀ, ସାମ୍ବାଦିକା, ଶିକ୍ଷାବିତ୍‌ ଡ. ମନୋରମା ମହାପାତ୍ରଙ୍କ ବିୟୋଗରେ ବିଶ୍ବ ଓଡ଼ିଆ ସମାଜ ପକ୍ଷରୁ ଏକ ଶୋକସଭା ଭର୍ଚୁଆଲରେ ପାଳିତ ହୋଇଯାଇଛି। ଓଡ଼ିଶା ସମତେ ପ୍ରବାସରେ ରହୁଥିବା ବହୁ ଓଡ଼ିଆ ଏଥିରେ ଯୋଗଦେଇ ଡ. ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତା ମହାପାତ୍ର ଜଣେ ଉଚ୍ଚକୋଟୀର ସାହିତ୍ୟିକା, ଆଗଧାଡ଼ିର ଲେଖିକା, ସୃଜନଶୀଳ ଶିକ୍ଷାବିତ୍‍, ଯୁଗଜୟୀ ସମ୍ପାଦିକା, ପ୍ରଜ୍ଞାଦୀପ୍ତ ପ୍ରାଧ୍ୟାପିକା, ବାଗ୍ମୀ ବକ୍ତା, ସମାଜସେବୀ ଥିଲେ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ପୌରୋହିତ୍ୟ କରି କହିଥିଲେ ଯେ ଜଣେ ଅଜସ୍ର ପ୍ରତିଭାବାନ, ପାରଦର୍ଶିତାରେ ଭରପୂର ତଥା ବୌଦ୍ଧିକ ବିଚାରବନ୍ତ ବିଜ୍ଞ ବ୍ୟକ୍ତିତ୍ୱ ଥିଲେ ଡ. ମହାପାତ୍ର।

ସଭାକୁ ସମ୍ବୋଧନ କରି ବିଶିଷ୍ଟ ସାହିତ୍ୟିକ ଡ. ହରପ୍ରସାଦ ଦାସ କହିଲେ ଯେ ଡ. ମହାପାତ୍ର ଓଡ଼ିଆ ଜାତି ଓ ଅସ୍ତିତ୍ୱର ପରିଚୟ ଥିଲେ। ତାଙ୍କର ବିଶାଳ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ। ଓଡ଼ିଶା ସାହିତ୍ୟ ଏକାଡେମିର ସମ୍ପାଦକ ପ୍ରବୋଧ କୁମାର ରାଉତ କହିଥିଲେ, ୧୯୯୧ରୁ ୧୯୯୩ ମସିହା ମଧ୍ୟରେ ଡ. ମହପାତ୍ର ଏକାଡେମିର ସଭାପତି ଥିବା ବେଳେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା। ଆମେରିକାର ରୋଡ୍‍ସ ଆଇଲ୍ୟାଣ୍ଡରୁ ଅକ୍ଷୟ ମହାନ୍ତି କହିଥିଲେ ଯେ ସ୍ୱର୍ଗତ ମହାପାତ୍ର ନାରୀ ଜାତି ପାଇଁ ଆଦର୍ଶର ଉତ୍ସ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁ.ଏ.ଇ ଓଡ଼ିଶା ସମାଜର ସଭାପତି ଅମିୟ ମିଶ୍ର, ବ୍ରିଟେନରୁ ଜୟଶ୍ରୀ ନନ୍ଦ, କୋଲକାତାର ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ, ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ, ଆମେରିକାରୁ ଧୀରେନ୍ଦ୍ର କର, ଭୁବନେଶ୍ୱର ରୋଟାରୀ କ୍ଲବ ଇକୋର ସଭାପତି ରାମକୃଷ୍ଣ ଦାଶ, ଓଡ଼ିଶା ସମାଜ ୟୁ.କେର ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ଦକ୍ଷିଣକୋରିଆରୁ ଡ. ସୀତାଂଶୁ ଶେଖର ନନ୍ଦ, ଧୀରଜ ଚଢ଼ା, ସିଙ୍ଗାପୁରରୁ ବନୋଦିନୀ ନାୟକ, ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅଶୋକ କୁମାର ନାୟକ, ଆମେରିକାରୁ ସୂୟର୍‌, ଟିକି ମିଶ୍ର ଓ ନଳିନୀ ପଟ୍ଟନାୟକ, ସମାଜ ପ୍ରତିନିଧି ସଂଘର ସଭାପତି ମହେଶ୍ୱର ବଳ, କାନାଡ଼ାରୁ ପ୍ରଶାନ୍ତ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଡ. ମହାପାତ୍ରଙ୍କୁ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର