ଉତ୍ତର ଭାରତରେ ମୌସୁମୀ ସକ୍ରିୟ:ଲଗାଣ ବର୍ଷାରେ ୨୦ ମୃତ

ନୂଆଦିଲ୍ଲୀ : ମୌସୁମୀ ଏବେ ଦେଶର ଅର୍ଦ୍ଧାଧିକ ଅଂଚଳରେ ସକ୍ରିୟ ରହିଛି। ଆଜି ସକାଳେ ଗୋଆରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଉତ୍ତର ଭାରତରେ ଏବେ ମୌସୁମୀ ସକ୍ରିୟ ରହିଛି । ତେବେ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଦିଲ୍ଲୀରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଉତ୍ତରପ୍ରଦେଶରେ ମୌସୁମୀ ସକ୍ରିୟ ଥିବା ବେଳେ ପ୍ରବଳ ବର୍ଷା ଲାଗି ରହିଛି। ବଳରାମପୁର ଜିଲ୍ଲାରେ ଲଗାତାର ୧୮ ଘଣ୍ଟାର ବର୍ଷା ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି। ବର୍ଷା ଜଳରେ ଏକ ଆମ୍ବୁଲାନ୍ସ ବୁଡ଼ିଯିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟରେ ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୫୦୦ରୁ ଅଧିକ ଆହତ ହୋଇଛନ୍ତି। କୁଶିନଗରରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଧରି ଯାଉଥିବା ଏକ ଭ୍ୟାନ୍‌ ବର୍ଷା ଜଳରେ ବୁଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସେହିପରି ମଧ୍ୟପ୍ରଦେଶର ଇନ୍ଦୋରରେ ମଧ୍ୟ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ହିମାଚଳ ପ୍ରଦେଶରେ ମୌସୁମୀ ଲୋକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ହେଉଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର