ମିଶନ ସଡକ ସୁରକ୍ଷା: ସାଂସଦ ଓ ବିଧାୟକମାନେ ଲୋକଙ୍କୁ ପଢାଇବେ ସଡ଼କ ସୁରକ୍ଷାର ପାଠ

ନୂଆଦିଲ୍ଲୀ: ଏଣିକି ଦେଶର ସାଂସଦ ଓ ବିଧାୟକମାନେ ଲୋକମାନଙ୍କୁ ପଢ଼ାଇବେ ସଡ଼କ ସୁରକ୍ଷାର ପାଠ। କେନ୍ଦ୍ର ସରକାର ଦେଶରେ ସଡକ ସୁରକ୍ଷାକୁ ମଜବୁତ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକମାନଙ୍କର ସହଯୋଗ ଲୋଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଦେଶରେ ପ୍ରତ୍ୟେକ ବର୍ଷ ସଡକ ଦୁର୍ଘଟଣାରେ ବୃଦ୍ଧି ହେଉଥିବା ମୃତକମାନଙ୍କ ସଂଖ୍ୟାରେ ଅଙ୍କୁଶ ଲଗାଇବା ପାଇଁ ଜନ ପ୍ରତିନିଧିମାନେ ଏଣିକି ଲୋକମାନଙ୍କୁ ଯାତାୟତ ଓ ସଡ଼କ ସୁରକ୍ଷା ଆଇନ୍‌ର ପାଠ ପଢାଇବେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଂଯୁକ୍ତ ରୂପେ ସଡକ ସୁରକ୍ଷା ସୁଦୃଢୀକରଣ ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବେ।

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସୁତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ଗୋଟିଏ ମାସ ମିଶନ ସଡକ ସୁରକ୍ଷା କାର୍ଯ୍ୟକ୍ରମ ରୂପେ ପାଳନ କରାଯିବ। ୧୮ ଜାନୁଆରିରୁ ୧୭ ଫେବ୍ରୁଆରି ମଧ୍ୟରେ ପୃଥକ ବିଭାଗର ନିର୍ଦ୍ଦେଶକ ଓ ସେମାନଙ୍କର ଟିମ୍ ସମାରୋହର ଆୟୋଜନ କରିବେ। ଜାନୁଆର ୨୦ ଓ ୨୫ ତାରିଖରେ ସମସ୍ତ ଜିଲ୍ଲାମାନଙ୍କରେ ସାଂସଦ ଓ ବିଧାୟକମାନେ ୱାକ୍‌ଥନ କରିବେ ଯେଉଁଥିରେ ସାମିଲ ହୋଇଥିବା ଲୋକମାନଙ୍କୁ ସଡକ ସୁରକ୍ଷାର ମହତ୍ତ୍ବ ଉପରେ ସେମାନେ ଅବଗତ କରାଇବେ। ୱାକ୍‌ଥନ୍‌ରେ ଡାକ୍ତର ଓ ପୁଲିସ କର୍ମଚାରୀମାନେ ଯୋଗ ଦେବେ।

ଜାନୁଆରୀ ୧୮-୧୯ରେ ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମକୁ ବିଧିବଦ୍ଧଭାବେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ୍ ଗଡକରୀ ଶୁଭାରମ୍ଭ କରିବେ। ଏତଦ୍‌ବ୍ୟତୀତ ସଡକ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଠକାର୍ଯ୍ୟ ପାଇଁ ରାଜ୍ୟ ତଥା ଏନ୍‌ଜିଓ ଗୁଡିକୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର