ମଧ୍ୟପ୍ରଦେଶ: ୧୨ ବର୍ଷରୁ କମ୍‌ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀଙ୍କୁ ଏଣିକି ଫାଶୀ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟେକ (ବିଲ୍‌) ସର୍ବସମ୍ମତ୍ତି କ୍ରମେ ପାସ୍‌ ହୋଇଯାଇଛି। ମଧ୍ୟପ୍ରଦେଶରେ ଏଣିକି ୧୨ ବର୍ଷରୁ କମ୍‌ ନାବାଳିକାମାନଙ୍କୁ ଦୁଷ୍କର୍ମ କରୁଥିବା ଅପରାଧୀମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବ। ଆଜି ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭାର ଶୀତକାଳୀନ ଅଧିବେସନର ପ୍ରଥମ ଏହି ବିଲ୍‌ ସର୍ବସମ୍ମତ୍ତିରେ ପାସ୍‌ ହୋଇ ଯାଇଥିବା ଜଣାପଡ଼ିଛି।

ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ରାଜ୍ୟର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କଠୋରରୁ କଠୋର ଆଇନ୍‌ର ପ୍ରଣୟନ କରିବେ ବୋଲି ଘୋଷଣା କରିଥିଲେ। ପରେ, ବିଧାନସଭାର ଚଳିତ ଶୀତ ଅଧିବେସନ ଆରମ୍ଭ ପୂର୍ବରୁ ଗତ ସପ୍ତାହରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ବିଲ୍‌କୁ ଉପସ୍ଥାପିତ କରାଯିବା ସହ ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରାଯାଇଥିଲା।

ଏଥିସହ ଆଜି ପାସ୍‌ ହୋଇଥିବା ବିଲ୍‌ରେ ମଧ୍ୟପ୍ରଦେଶରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନ ଦେବା, ଅଯଥା ହଇରାଣ ହରକତ କରୁଥିବା ଅପରାଧୀମାନଙ୍କ ଠାରୁ ମଧ୍ୟ ୧ଲକ୍ଷ ଟଙ୍କାର ଜରିମାନା ଆଦାୟ ସହ ଜେଲଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ଖାଲି ଏତିକି ନୁହେଁ, ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହ ଶାରୀରିକ ସଂପର୍କ ରଖି ଗର୍ଭବତୀ କରୁଥିବା ଅପରାଧକୁ ମଧ୍ୟ ଧର୍ତ୍ତବ୍ୟ ଅପରାଧ ରୂପେ ବିବେଚନା କରି ଘଟଣାରେ ସଂପୃକ୍ତ ଅପରାଧୀ ବିରୋଧରେ ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି ବୋଲି ଅର୍ଥ ମନ୍ତ୍ରୀ ଜୟନ୍ତ ମାଲ୍ୟା ସୂଚନା ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶରେ ବିଗତ କିଛି ବର୍ଷଧରି ଦୁଷ୍କର୍ମ ଓ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିିତ ରିପୋର୍ଟରେ ମଧ୍ୟପ୍ରଦେଶରେ ୨୦୧୫ ସର୍ବମୋଟ ୪୩୯୧ଟି ଦୁଷ୍କର୍ମ ମାମଲା ଘଟିଥିବା ଦର୍ଶାଯାଇଥିଲା। ଯାହାକି ସମଗ୍ର ଦେଶରେ ଥିଲା ସର୍ବାଧିକ। ସେହିପରି ୨୦୧୪ରେ ମଧ୍ୟପ୍ରଦେଶରେ ସର୍ବମୋଟ ୫,୦୭୬ଟି ଦୁଷ୍କର୍ମ ଅପରାଧ ଘଟିଥିଲା; ଯାହାକି ସମଗ୍ର ଦେଶରେ ଘଟିଥିବା ଦୁଷ୍କର୍ମ ମାମଲାର ୧୪ ପ୍ରତିଶତ ଥିଲା। ଏହି ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଦୁଷ୍କର୍ମ ଅପରାଧ ପାଇଁ ମଧ୍ୟପ୍ରଦେଶର ଦୁର୍ନାମ ଓ କୁଖ୍ୟାତି ବଢ଼ିବାପରେ ମଧ୍ୟପ୍ରଦେଶ ସରକାର ଏପରି ଅପରାଧ ଉପରେ ରୋକ୍‌ ଲଗାଇବା ପାଇଁ ଏହି ଆଇନ୍‌ ପ୍ରଣୟନ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର