ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସାଂସଦ ବସନ୍ତ ପଣ୍ଡା, ରେଳ କାରଖାନା ପାଇଁ ବାକି ୧୮୭.୨୮ ଏକର ଜମି ଦେବାକୁ ଅନୁରୋଧ

ରେଳ ମନ୍ତ୍ରୀଙ୍କୁ ଭେଟି ତିନିଟି ରେଳ ପଥ ନିର୍ମାଣ ପାଇଁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ : କଳାହାଣ୍ଡିରେ ୧୮୬.୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବା ବିଦ୍ୟୁତ୍‌ ଲୋକୋ ୱାର୍କସପ୍‌ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ବଳକା ୧୮୭.୨୮ ଏକର ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ବିଜେପି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା।

ପ୍ରକଳ୍ପ ପାଇଁ ରାଜ୍ୟ ସରକ‌ାର ବର୍ତ୍ତମାନ ସୁଦ୍ଧା ୧୪୧.୦୭ ଏକର ଜମି ରେଲୱେକୁ ହସ୍ତାନ୍ତର କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ତେଣୁ ବାକି ଜମି ଯୋଗାଇଦେବା କାର୍ଯ୍ୟକୁ ଶୀଘ୍ର ତ୍ବରାନ୍ବିତ କରିବାପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ମଧ୍ୟ ପଶ୍ଚିମ ଓଡ଼ିଶାରେ ତିନିଟି ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି। ବରଗଡ଼ରୁ ନୂଆପଡ଼ା ଭାୟା ପଦମପୁର, କଣ୍ଟାବାଂଜିରୁ ନବରଙ୍ଗପୁର ଓ ଜୁନାଗଡ଼ରୁ ନବରଙ୍ଗପୁର ଭାୟା ଧର୍ମଗଡ଼ ନୂତନ ରେଳପଥ ନିର୍ମାଣ ପାଇଁ ସେ ଦାବି ରଖିଛନ୍ତି।

ନୂତନ ରେଳପଥ ନିର୍ମାଣ ହେଲେ ଏହି ସବୁ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ବୋଲି ସେ ରେଳମନ୍ତ୍ରୀଙ୍କୁ କହିଥିଲେ। ଏତଦ୍‌ ବ୍ୟତୀତ ପଶ୍ଚିମ ଓଡ଼ିଶାର ଏକାଧିକ ରେଳ ପ୍ରକଳ୍ପର ବିକାଶ ପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ବିହୀତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ। ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଆଶ୍ବାସନା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର