ନୂଆଦିଲ୍ଲୀ: ବିଏସ୍ପି ନେତା ତଥା ସାଂସଦ ଦାନିସ ଅଲ୍ଲୀ ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସସ୍ପେଣ୍ଡ ହୋଇଛନ୍ତି। ବିଏସ୍ପି ସୁପ୍ରିମୋ ମାୟାବତୀ ଦାନିସଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଦାନିସ ଦଳର ନୀତି ବିରୋଧରେ ଯାଇ କଂଗ୍ରେସ ସହ ସଂପର୍କ ବଢ଼ାଇବା ସହ ସଂସଦରେ କଂଗ୍ରେସକୁ ସମର୍ଥନ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭିନ୍ନ ପ୍ରସଙ୍ଗରେ ଦଳ କଂଗ୍ରେସକୁ ବିରୋଧ କରୁଥିବା ସମୟରେ ଦାନିସ ଅଲ୍ଲୀ ରାହୁଲ ଗାନ୍ଧିଙ୍କ ସହ ଘନିଷ୍ଠତା ବଢ଼ାଇବା ଏବଂ କଂଗ୍ରେସ ଉଠାଉଥିବା ପ୍ରସଙ୍ଗକୁ ସମର୍ଥନ ଦେଉଥିବାରୁ ଦଳ ଏହାକୁ ଗମ୍ଭୀରତାର ସହ ନେଇଥିଲା।
ସୂଚନାଯୋଗ୍ୟ, ସଂସଦରେ ଚନ୍ଦ୍ରଯାନ ୩ର ସଫଳତା ସଂପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ସାଂସଦ ରମେଶ ବିଧୁରି ଦାନିସ ଅଲ୍ଲୀଙ୍କୁ ଆତଙ୍କବାଦୀ ବୋଲି କହିଥିଲେ ଏବଂ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଗତକାଲି ସଂସଦ ସଦସ୍ୟତାରୁ ବହିଷ୍କୃତ ହୋଇଥିବା ମହୁଆ ମୈତ୍ରଙ୍କୁ ଦାନିସ ଯେଭଳି ସମର୍ଥନ କରିଥିଲେ ତାହା ଚର୍ଚ୍ଚାରେ ରହିଥିଲା।