ଭୋପାଳ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଫଳାଫଳ ଆସିଯାଇଛି। ୩ ରାଜ୍ୟରେ ବିଜେପି ବିଜୟ ଲାଭ କରି ସରକାର ଗଢ଼ିବାକୁ ଯାଉଥିବା ବେଳେ ଅନ୍ୟଟିରେ କଂଗ୍ରେସ ବିଜୟ ହାସଲ କରିଛି।
ଏହି କ୍ରମରେ ମଧ୍ୟପ୍ରଦେଶରେ ବିଜେପି ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି । ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବେ ବି ଲୋକଙ୍କ ପସନ୍ଦର ନେତା ବୋଲି କୁହାଯାଉଛି।
ନିର୍ବାଚନ ଫଳାଫଳକୁ ଦେଖି କର୍ମକର୍ତ୍ତାମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ବିଭିନ୍ନ ପ୍ରକାର ବିଶ୍ଳେଷଣ କରିଛନ୍ତି। ଦେଖିବାକୁ ଗଲେ ଚଳିତ ନିର୍ବାଚନରେ ଲୋକେ ଖୁବ ରୋଜଗାର ବି କରିଛନ୍ତି। ନିଜର ମନପସନ୍ଦର ପାର୍ଟି ଓ ପ୍ରାର୍ଥୀଙ୍କ ଉପରେ ବାଜି ଲଗାଇଥିଲେ। ବାଜି ଲଗାଇଥିବା ପାର୍ଟି/ପ୍ରାର୍ଥୀ ଯଦି ବିଜୟୀ ହୁଅନ୍ତି ତେବେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଥିଲା । ଛିନ୍ଦୱାଡ଼ା ଜିଲ୍ଲାର ନିରଜ ମାଲବୀୟ ଏହି ପୁରସ୍କାର ରାଶି ଜିତି ଯାଇଛନ୍ତି।
କିଛିଦିନ ତଳେ ଏକ ଷ୍ଟାମ୍ପ କାଗଜ ଭାଇରାଲ ହୋଇଥିଲା। ଯେଉଁଥିରେ ବିଜେପି ଓ କଂଗ୍ରେସ ଜିତିବା ଓ ହାରିବାକୁ ନେଇ ଦୁଇଜଣଙ୍କ ମଧ୍ୟରେ ୧ଲକ୍ଷ ଟଙ୍କାର ସର୍ତ୍ତ ଲାଗିଥିଲା।
ଆଶ୍ଚର୍ଯ୍ୟର କଥା ହେଉଛି ୫୦ଟଙ୍କାର ଆଫିଡେଭିଡ୍ କରାଯାଇ ଏହି ସର୍ତ୍ତ ଲଗାଯାଇଥିଲା। ଏଥିରେ ୫ଜଣ ସାକ୍ଷୀ ବି ସାମିଲ ରହିଥିଲେ।
ନଭେମ୍ବର ୨୨ ତାରିଖରେ ଛିନ୍ଦୱାଡ଼ା ଜିଲ୍ଲାର ନିରଜ ମାଲବୀୟ ଓ ଧନିରାମ ଭଲାବିଙ୍କ ମଧ୍ୟରେ ନିର୍ବାଚନକୁ ନେଇ ୧ଲକ୍ଷ ଟଙ୍କାର ସର୍ତ୍ତ ଲାଗିଥିଲା। ମଧ୍ୟପ୍ରଦେଶରେ କଂଗ୍ରେସ ଜିତିବ ବୋଲି ଭଲାବି ବିଶ୍ବାସ କରୁଥିବା ବେଳେ ନିରଜ ବିଜେପି ଜିତିବ ବୋଲି ଆଶା ରଖିଥିଲେ। ତେବେ ଏହି ସର୍ତ୍ତରେ ନିରଜ ବାଜି ମାରି ନେଇଛନ୍ତି।