ନୂଆଦିଲ୍ଳୀ : ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ବା ଏମ୍‌ପିଲାଡ୍‌ ଯୋଜନାକୁ ପୁନଃପ୍ରଚଳନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଗତବର୍ଷ ଏପ୍ରିଲରେ ଏହି ଯୋଜନାକୁ ସସପେଣ୍ଡ କରାଯାଇଥିଲା। ତେବେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହାକୁ ପୁଣି ବହାଲ କରିବା ଲାଗି ସ୍ଥିର କରାଯାଇଛି। ଚଳିତ ଆର୍ଥିକ ବର୍ଷର ଅବଶିଷ୍ଟ ସମୟ ଲାଗି ଏହି ଯୋଜନାରେ ପ୍ରତ୍ୟେକ ସାଂସଦଙ୍କୁ ୨ ‌କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏହାପରେ ସେମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରାଯିବ।

Advertisment

ଅଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ଯେ ଚଳିତ ବର୍ଷ ଜାତୀୟ ଅର୍ଥନୀତିରେ ସୁଧାର ଆସିଥିବାରୁ ଏହି ଯୋଜନାକୁ ପୁଣି ଚାଲୁ କରାଯାଇଛି। ୨୦୨୫-୨୬ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଚଳିତ ଆର୍ଥିକ ବର୍ଷରେ ଗୋଟିଏ କିସ୍ତିରେ ୨ କୋଟି ଟଙ୍କା ଦିଆଯିବ। ପରବର୍ତୀ ଆର୍ଥିକ ବର୍ଷରେ ବର୍ଷକୁ ଦୁଇଟି କିସ୍ତିରେ ଅଢ଼େଇ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରାଯିବ।

ସୂଚନାଯୋଗ୍ୟ ଯେ ଏମପିଲାଡ୍‌ ଯୋଜନା ଅନୁଯାୟୀ ନିଜ ନିର୍ବ‌ାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ଲାଗି ସାଂସଦଙ୍କ ପାଣ୍ଠିରେ ବର୍ଷକୁ ୫ କୋଟି ଟଙ୍କା ଦିଆଯାଏ। ସେମାନଙ୍କର ସୁପାରିସ ଅନୁଯାୟୀ ପାନୀୟ ଜଳ, ପ୍ରାଥମିକ ଶିକ୍ଷା, ସାର୍ବଜନୀନ ସ୍ବାସ୍ଥ୍ୟ, ପରିମଳ, ସଡ଼କ ନିର୍ମାଣ ଓ ସାର୍ବଜନୀନ ଭିତ୍ତିଭୂମି ପାଇଁ ବ୍ୟୟ କରାଯାଏ।

ଗତବର୍ଷ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଏହି ଯୋଜନାକୁ ସସପେଣ୍ଡ କରାଯାଇଥିଲା। ଏଥିରୁ ମିଳିଥିବା ୭ ହଜାର ୯୦୦ କୋଟି ଟଙ୍କା ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ ସେବା ଲାଗି ଖର୍ଚ କରାଯାଇଥିଲା। ଗତ ଏପ୍ରିଲରୁ ସାଂସଦମାନଙ୍କ ଦରମାରେ ମଧ୍ୟ ୩୦ ଭାଗ କାଟ୍ କରାଯାଇଥିଲା।