ମାସକ ପରେ ମଧ୍ୟପ୍ରଦେଶକୁ ମିଳିଲା ମନ୍ତ୍ରୀମଣ୍ଡଳ, ଶପଥ ନେଲେ ୫ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରାୟ ଏକ ମାସ ଧରି ଖାଲି ରହିବା ପରେ ଶେଷରେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରକୁ ଏକ ମନ୍ତ୍ରୀମଣ୍ଡଳ ମିଳିଛି । ଆଜି ୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ସିନ୍ଧିଆ କ୍ୟାମ୍ପର ୨ ଜଣ ଅନୁଗତ ରହିଛନ୍ତି ।

ଆଜି ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ଛଅଥର ବିଜେପି ବିଧାୟକ ନରୋତ୍ତମ ମିଶ୍ର, ପାଞ୍ଚଥର ବିଜେପି ବିଧାୟକ କମଲ ପଟେଲ ଓ ମିନା ସିଂ । ଜ୍ୟୋତିରାଦିତ୍ୟ ସିନ୍ଧିଆ କ୍ୟାମ୍ପରୁ ମନ୍ତ୍ରୀ ହୋଇଥିବା ଦୁଇଜଣ ବିଧାୟକ ହେଲେ ତୁଲସୀ ସିଲାଓ୍ୱତ ଓ ଗୋବିନ୍ଦ ସିଂ ରାଜପୁତ । ତୁଲସୀ ପୂର୍ବର କମଲନାଥ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଗୋବିନ୍ଦ ସିଂ ପରିବହନ ମନ୍ତ୍ରୀ ଥିଲେ ।
ଏହି ୫ ଜଣ ମନ୍ତ୍ରୀ ମଧ୍ୟପ୍ରଦେଶର ୫ଟି ପ୍ରମୁଖ ଅଞ୍ଚଳ ବୁନ୍ଦେଲଖଣ୍ଡ, କେନ୍ଦ୍ରୀୟ ମଧ୍ୟପ୍ରଦେଶ, ମାଲଓ୍ୱା-ଲିମାର,ମହାକୌଶଲ ଓ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ପ୍ରତିନିଧିତ୍ୱ କରୁଛନ୍ତି । ତେବେ ମଧ୍ୟପ୍ରଦେଶର ଆଉ ଏକ ପ୍ରମୁଖ ଅଞ୍ଚଳ ବିନ୍ଧ୍ୟାଞ୍ଚଳ ଯାହାକି ବିଜେପିର ଗଡ଼ ଭାବେ ଜଣାଶୁଣା, ସେଠାରୁ କୌଣସି ବିଧାୟକ ମନ୍ତ୍ରୀ ହୋଇନାହାନ୍ତି ।

ସମ୍ବନ୍ଧିତ ଖବର