ଇନ୍ଦୋର: ଚର୍ଚ୍ଚାରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ଦେଇଥିବା ରାୟ। ଏକ ଦୁଷ୍କର୍ମ ମାମଲାରେ ଖଣ୍ଡପୀଠ ଦୋଷୀର ଦଣ୍ଡକୁ କମ କରିଥିବା ଜଣାପଡ଼ିଛି। ୪ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଦୋଷୀକୁ ଟ୍ରାଏଲ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଆଜି ଦୋଷୀର ଦଣ୍ଡକୁ କମ କରି ୨୦ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଖଣ୍ଡପୀଠ। ଖଣ୍ଡପୀଠ ଦୋଷୀର ଆଜୀବନ କାରାଦଣ୍ଡକୁ ହ୍ରାସ କରି କହିଛନ୍ତି ଯେ, ଦୋଷୀ ୪ବର୍ଷର ପୀଡିତା ସହ ଦୁଷ୍କର୍ମ କରିବା ପରେ ହତ୍ୟା କରି ନଥିଲେ। ଏହାକୁ ନଜରର ରଖି ତାଙ୍କ ଦଣ୍ଡ କମ କରାଯାଇଛି। ଜଷ୍ଟିସ୍ ସୁବୋଧ ଅଭ୍ୟଙ୍କର ଏବଂ ଜଷ୍ଟିସ୍ ଏସ୍ କେ ସିଂଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତ।

Advertisment

ସୂଚନା ମୁତାବକ ଦୁଷ୍କର୍ମ ମାମଲାରେ ଟ୍ରାଏଲ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ୨୦୦୭ରୁ ଆଜୀବନ କାରାଦଣ୍ଡ ଭୋଗୁଥିଲେ ରାମ ସିଂହ। ୧୫ବର୍ଷ ଜେଲ ଦଣ୍ଡ ‌ଭୋଗିବା ପରେ ସେ ଦଣ୍ଡ କମ କରିବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଅପିଲ କରିଥିଲେ। ଏହା ଉପରେ ଶୁଣାଣି କରି ଆଜି ଜଷ୍ଟିସ୍ ସୁବୋଧ ଅଭ୍ୟଙ୍କର ଏବଂ ଜଷ୍ଟିସ୍ ଏସ୍ କେ ସିଂଙ୍କ ଖଣ୍ଡପୀଠ ତାଙ୍କ ଦଣ୍ଡ କମ କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ଜଣେ ମହିଳାଙ୍କ ପ୍ରତି କୌଣସି ସମ୍ମାନ ନଥିବା ଏବଂ ୪ବର୍ଷ ବୟସର ଶିଶୁ ସହିତ ଯୌନ ଅପରାଧ କରିବାର ପ୍ରବୃତ୍ତି ଥିବା ଅଭିଯୁକ୍ତର ଦଣ୍ଡ କମ କରାଯିବା ଉଚିତ ନୁହେଁ। ହେଲେ ଦୁଷ୍କର୍ମ ପରେ ରାମ ସିଂହ ପୀଡ଼ିତାଙ୍କୁ ହତ୍ୟା ନକରି ଜୀବନ୍ତ ଛାଡ଼ି ଦେଇଥିବାରୁ ତାଙ୍କ ଦଣ୍ଡ କମ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ରାମ ପୀଡ଼ିତାଙ୍କ ଘର ପାଖରେ ରହୁଥିବା ବେଳେ ଏହି ଘଟଣା ଘଟିଥିଲା। କିଛି ଟଙ୍କା ଦେବାର ଲୋଭ ଦେଖାଇ ଅଭିଯୁକ୍ତ ପୀଡ଼ିତାଙ୍କୁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ବାପା ଅଭିଯୁକ୍ତର ଘରକୁ ଯିବା ପରେ ପୀଡ଼ିତା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପୀଡ଼ିତାଙ୍କ ବାପାଙ୍କୁ ଦେଖି ଉଲଗ୍ନ ଥିବା ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲ।