କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ନିଜ ଅଞ୍ଚଳର ବିକାଶ ପାଇଁ ପୁଣି ସାଂସଦମାନଙ୍କୁ ଦିଆଯିବ ହାତପାଣ୍ଠି, ଜାଣନ୍ତୁ ମିଳିବ କେତେ ?

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ପୁଣି ଥରେ ସାଂସଦ ହାତପାଣ୍ଠି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୁଧବାରଦିନ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ସାଂସଦ ହାତପାଣ୍ଠି ( ଏମପି ଲାଡସ୍) ଯୋଜନାକୁ ସରକାର ପୁଣି ଥରେ ଚାଲୁ  କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜିର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କୋଭିଡ -୧୯ ବିରୋଧୀ ଲଢ଼େଇରେ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ସାଂସଦ ହାତପାଣ୍ଠିକୁ ବନ୍ଦ କରାଯାଇଥିଲା। ଏବେ ଦେଶରେ ଅର୍ଥ ବ୍ୟବସ୍ଥାର ସୁଧାର ଆସିଥିବାରୁ ଏହି ଯୋଜନାକୁ ପୁଣିଥରେ ଚାଲୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ପ୍ରତ୍ୟେକ ସାଂସଦଙ୍କୁ ହାତପାଣ୍ଠି ଖର୍ଚ୍ଚ ବାବଦରେ ୨ କୋଟି ଲେଖାଏଁ ଟଙ୍କା ଦିଆଯିବ ଓ ଆସନ୍ତା ବର୍ଷଠାରୁ ପୂର୍ବଭଳି ପ୍ରତିବର୍ଷ ୫ କୋଟି ଟଙ୍କା ଲେଖାଏଁ ପ୍ରତି ସାଂସଦଙ୍କୁ ମିଳିବ । ଆଜି ଅନୁଷ୍ଠିତ କ୍ୟାବିନେଟ ଓ ସିସିଇଏର ବୈଠକରେ ଏହା ସ୍ଥିରୀକୃତ ହୋଇଛି।

କେବଳ ସେତକି ନୁହେଁ, ଆଜିର ବୈଠକରେ ସରକାର ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦିନ ସହିଦ ବିର୍ଷା ମୁଣ୍ଡାଙ୍କ ଜୟନ୍ତୀ ହୋଇଥିବାରୁ ଏହାକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର