ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ନବଗଠିତ ଜିଲ୍ଲା ମାଉଗଞ୍ଜର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ(ଡିଏମ) ଜଣେ ବାଳିକାଙ୍କୁ ଫୋନ ଉପହାରରେ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ଜମୁଇ ଗ୍ରାମରେ ବସବାସ କରୁଥିବା ଜଣେ ଛାତ୍ରୀ ନିଜର ସମସ୍ୟା ଶୁଣାଇବା ପାଇଁ ଡିଏମଙ୍କୁ ଫୋନ ଲଗାଇଥିଲେ। ସକାଳ ୮ଟା ସମୟରେ ଡିଏମ ଅଜୟ ଶ୍ରୀବାସ୍ତବଙ୍କ ମୋବାଇଲ ବାଜି ଉଠିଥିଲା।
ଶ୍ରୀବାସ୍ତବ ଫୋନ ଉଠାଇବା ପରେ ସେପଟୁ ଜଣେ ଛାତ୍ରୀ କହିଲେ, ‘ ସାର ନମସ୍କାର। ସାର ମୁଁ ରିଚା କହୁଛି । ମୁଁ ଦ୍ବାଦଶ ଶ୍ରେଣୀରେ ପାଠପଢ଼ୁଛି। ଗୋଟିଏ ବର୍ଷ ପୂର୍ବେ ମୋ ଫୋନ ଚୋରି ହୋଇଯାଇଥିଲା। ସେବେଠାରୁ ମୋର ପାଠପଢ଼ାରେ ବହୁତ ଅସୁବିଧା ହେଉଛି। ଅନେକ ଚେଷ୍ଟା କଲି ଫୋନ କିଣିବା ପାଇଁ କିନ୍ତୁ କିଣି ପାରିଲି ନାହିଁ। ଆମ ଘରର ଆର୍ଥିକସ୍ଥିତି ବି ଏତେଟା ଭଲ ନାହିଁ। ମୋତେ କିଛି ସାହାଯ୍ୟ କରନ୍ତୁ। ଯଦି ମୁଁ କିଛି ଭୁଲ କରିଥାଏ, ମୋତେ କ୍ଷମା କରିଦେବ।’
ଏହି ଘଟଣାକୁ ନେଇ ଶ୍ରୀବାସ୍ତବ କହିଛନ୍ତି, ‘ଛାତ୍ରୀ ରିଚାଙ୍କ ଆତ୍ମବିଶ୍ବାସ ଦେଖି ମୋତେ ଖୁସି ଲାଗିଥିଲି। ମୁଁ ତାଙ୍କ ସମସ୍ୟା ଦୂର କରିବା ପାଇଁ ଏକ ଫୋନ କିଣିବା ପାଇଁ ସ୍ଥିର କରିଥିଲି। ୨୦୨୦ ମଇ ୧୨ ତାରିଖରୁ ତାଙ୍କ ଫୋନ ଚୋରି ହୋଇଯାଇଥିଲା। ସେବେଠାରୁ ତାଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ସେ ଯେତେବେଳେ ଦେଖିଲେ ଫୋନ କିଣି ପାରିବେ ନାହିଁ। ତା’ପରେ ଯାଇ ମୋତେ ଫୋନ କରି ସମସ୍ୟା ବିଷୟରେ ଜଣାଇଥିଲେ। ତାଙ୍କ କଥା ମୋତେ ପ୍ରଭାବିତ କରିଛି।’