ପ୍ରଧାନମନ୍ତ୍ରୀଙ୍କ କ୍ୟାମେରା ସହ ଥିବା ଫଟୋକୁ ଏଡିଟ କରିଥିବା ଅଭିଯୁକ୍ତକୁ ଖୋଜିବା ପାଇଁ ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୮ ଚିତାଙ୍କୁ ଛାଡ଼ିବା ପରେ ତାଙ୍କର ଫଟୋ ଉଠାଇଥିଲେ। ସେତେବେଳେ ମୋଦୀ ଏକ ସଫାରି ଟୋପି, ଭେଷ୍ଟ ଓ ସନ୍‌ଗ୍ଲାସ୍ ପିନ୍ଧିଥିଲେ। କିନ୍ତୁ ତୃଣମୂଳ କଂଗ୍ରେସ ପକ୍ଷରୁ ମୋଦୀଙ୍କର ଏକ ଏଡିଟ୍‌ ହୋଇଥିବା ଫଟୋ ସେୟାର କରି ତାଙ୍କର ଉପହାସ କରିବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ବିଜେପି ପକ୍ଷରୁ ତୃଣମୂଳ କଂଗ୍ରେସର ସତ୍ୟତା ଯାଞ୍ଚ କରି ତାହା ନକଲି ଫଟୋ ବୋଲି ପ୍ରମାଣ କରାଯାଇଥିଲା। ତେବେ ବିଜେପିର ତଦନ୍ତ ପ‌ରେ ଏବେ ମଧ୍ୟପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ଏକ ଗମ୍ଭୀର ପ୍ରସଙ୍ଗ। ପ୍ରଧାନମନ୍ତ୍ରୀ ମୋଦୀ ଧରିଥିବା କ୍ୟାମେରାକୁ ଏଡିଟ କରାଯାଇଛି। ମୁଁ ଘଟଣାର ତଦନ୍ତ ପାଇଁ ପୁଲିସର ସାଇବର ସେଲକୁ ନିର୍ଦ୍ଦେଶ ଦେଇଛି। ଯାଞ୍ଚ ପରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଭୋପାଳରେ ଗଣମାଧ୍ୟମକୁ କହିଛନ୍ତି।

ତେବେ ତୃଣମୂଳ କଂଗ୍ରେସ ଏମ୍‌ପି ଜହର ସରକାର ସୋସିଆଲ ମିଡ଼ିଆରେ ଛାଡ଼ିଥିବା ପରିବର୍ତ୍ତିତ ଫଟୋରେ ମୋଦୀ ଉଠାଉଥିବା କ୍ୟାମେରାର ଲେନ୍ସ ଉପର ଘୋଡ଼ଣି ବନ୍ଦ ଥିଲା। ତା’ମାନେ ମୋଦୀ ଫଟୋ ଉଠାଉ ନ ଥିଲେ ବରଂ ଫଟୋ ଉଠାଇବାର ଅଭିନୟ କରୁଥିଲେ ବୋଲି ସରକାର ଏଥିରେ ଦର୍ଶାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ବିଜେପି ନେତା ସୁକାନ୍ତ ମଜୁମଦାର ମୋଦୀଙ୍କ ଅସଲି ଫଟୋ ଉଠାଇବାର ଫଟୋ ଓ ନକଲି ଫଟୋ ଭିତରେ ଥିବା ପାର୍ଥକ୍ୟକୁ ଦର୍ଶାଇ ଲେଖିଥିଲେ ଯେ, ତୃଣମୂଳ ନେତା ସେୟାର କରିଥିବା ଫଟୋରେ ନିକନ କ୍ୟାମେରାଟି କ୍ୟାନନ ଖୋଳ ଭିତରେ ଥିବାର ଦେଖିବାକୁ ମିଳୁଛି। ତେଣୁ ତୃଣମୂଳ ନେତା ମୋଦୀଙ୍କର ଏକ ଏଡିଟ୍‌କରା ଫଟୋ ଛାଡ଼ିଛନ୍ତି, ଯାହା ଏକ ଅପରାଧ। ମିଥ୍ୟା ପ୍ରଚାର ପାଇଁ ଏପରି ମନ୍ଦ ଉଦ୍ୟମ ନିନ୍ଦନୀୟ। ମମତା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ମଜୁମଦାର ଲେଖିଥିଲେ- ମମତା ଅନ୍ତତଃ ସାଧାରଣ ଜ୍ଞାନ ଥିବା ଲୋକଙ୍କୁ ଦାୟିତ୍ବ ଦିଅନ୍ତୁ। ଏହା ପରେ ପରେ ଜହର ସିରକାର ତାଙ୍କ ଟ୍ବିଟ୍‌ଟିକୁ ଡିଲିଟ୍ କରିଦେଇଥିଲେ।

ସମ୍ବନ୍ଧିତ ଖବର