ନିର୍ବାଚନରେ ବାପା ଜିତିବା ପରେ ଉତ୍ସବ ମନାଇବାକୁ ବ୍ୟାଣ୍ଡ୍‌ ଡାକିଥିଲେ ପୁଅ, କିଛି କ୍ଷଣ ମଧ୍ୟରେ ଉଡ଼ିଗଲା ପ୍ରାଣବାୟୁ

ଭୋପାଳ: ମଧ୍ୟପ୍ରଦେଶର ସତନାରେ ହୋଇଥିବା ନଗର ପାଳିକା ନିର୍ବାଚନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିର୍ବାଚନରେ ନବନିର୍ବାଚିତ ହୋଇଥିବା କାଉନ୍‌ସିଲର୍‌ଙ୍କ ପୁଅଙ୍କର ବାପାଙ୍କ ବିଜୟ ଉତ୍ସବ ମନାଇବା ପୂର୍ବରୁ ହିଁ ମୃତ୍ୟୁ ଘଟିଛି। ନୂଆ କରି ନିର୍ବାଚିତ ହୋଇଥିବା କାଉନ୍‌ସିଲର୍‌ ଜଣକ ହେଉଛନ୍ତି ରାମୁ କୋଲ। ତାଙ୍କ ପୁଅ କୃଷ୍ଣା କୋଲ୍‌ଙ୍କର ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ହୃଦ୍‌ଘାତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ମାତ୍ର ହସ୍ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଭୋଟ୍‌ ଗଣତି ସମୟରେ କୃଷ୍ଣା ଘରେ ଥିଲେ। ‌ଯେତେବେଳେ ତାଙ୍କ ବାପାଙ୍କ ଜିତିବା ଖବର ତାଙ୍କୁ ମିଳିଲ ତ ସେ ଖୁବ୍‌ ଖୁସି ହୋଇଗଲେ। ଏପରିକି ସେ ତାଙ୍କର କିଛି ପରିଚିତ ଲୋକଙ୍କୁ ଫୋନ୍‌ କରି ମଧ୍ୟ ଡାକିଥିଲେ। କିଛି ଲୋକଙ୍କୁ ମିଠା ଆଣିବାକୁ ଟଙ୍କା ବି ଦେଲେ। କେବଳ ସେତିକି ନୁହେଁ, ଖୁସି ମନାଇବା ପାଇଁ ସେ ବ୍ୟାଣ୍ଡ୍‌ ବି ମଗାଇଥିଲେ। ବାପାଙ୍କ ଖୁସିର ଦିନରେ ବାଜା ବଜାଇ ଉତ୍ସବ ମନାଇଥାନ୍ତେ ସେ। ମାତ୍ର ଈଶ୍ବରଙ୍କ ଇଚ୍ଛା ଥିଲା ଭିନ୍ନ। ସେ ଉତ୍ସବ ମନାଇବା ଆଗରୁ ହିଁ ଅଚାନକ ତଳେ ପଡ଼ିଗଲେ। ତା’ର କିଛି ସମୟ ପରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ବାପାଙ୍କ ବିଜୟ ପୁଅ ପାଇଁ ଅଶୁଭ ସାବ୍ୟସ୍ତ ହେଲା ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରାମୁ କୋଲ୍‌ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢ଼ିଥିଲେ। କୃଷ୍ଣାଙ୍କ ଘରେ ବାପାମାଆଙ୍କ ବ୍ୟତୀତ ତାଙ୍କ ପତ୍ନୀ ଓ ୩ ପିଲା ବି ଅଛନ୍ତି।

 

ସମ୍ବନ୍ଧିତ ଖବର