ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ଦେଓରିଆ ଜିଲ୍ଲା ଏକଦା ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ଥିଲା। ପ୍ରତିଭାର ଏକ ଅସାଧାରଣ ସମନ୍ୱୟରେ ଏହି ପଛୁଆ ଜିଲ୍ଲାର ଶୀର୍ଷ ଚାରି ଜଣ ଏବେ ସମସ୍ତେ ଆଇଆଇଟି ଗ୍ରାଜୁଏଟ୍। ଉଜ୍ଜ୍ୱଳ ଭବିଷ୍ୟତର ଆଶା ଦେଖୁଥିବା ଦେଓରିଆର ବିକାଶ ପାଇଁ ଦାୟୀ ପ୍ରମୁଖ ବ୍ୟକ୍ତିବିଶେଷ- ସାଂସଦ, ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ ଓ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମସ୍ତେ ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ଇଂଜିନିୟର ବୋଲି ଜଣାପଡ଼ିଛି।
୧୯୮୬ ବ୍ୟାଚ୍ର ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ତଥା ଦେଓରିଆ ସାଂସଦ ଶଶାଙ୍କ ମଣି ତ୍ରିପାଠୀ ମଧ୍ୟ ସ୍ୱିଜରଲାଣ୍ଡର ଲୁସାନେସ୍ଥିତ ଏକ ବିଜନେସ୍ ସ୍କୁଲରୁ ଏମ୍ବିଏ କରିଛନ୍ତି। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ଜିଲ୍ଲାପାଳ ଦିବ୍ୟା ମିତ୍ତଲ ମଧ୍ୟ ଆଇଆଇଟି-ଦିଲ୍ଲୀ ସ୍ନାତକ ଓ ଆଇଆଇଏମ୍-ମୁମ୍ବାଇରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ସିଭିଲ ସର୍ଭିସ କ୍ୟାରିୟର ପୂର୍ବରୁ ସେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରୁଥିଲେ। ଏସ୍ପି ସଂକଳ୍ପ ଶର୍ମା ଆଇଆଇଟି ରୁର୍କିର କେମିକାଲ ଇଞ୍ଜିନିୟର ଏବଂ ସିଡିଓ ପ୍ରତ୍ୟୁଷ ପାଣ୍ଡେ ଆଇଆଇଟି କାନପୁରରୁ ସିଭିଲ ଇଞ୍ଜିନିୟରିଂ ସ୍ନାତକ ଓ ଆଇଆଇଏମ୍ ଅହମଦାବାଦରୁ ଏମ୍ବିଏ କରିଛନ୍ତି। ଏହି ଉଚ୍ଚଶିକ୍ଷିତ ନେତା ଓ ଅଫିସରମାନଙ୍କ ଯୋଗୁ ଆଗାମୀ ଦିନରେ ଦେଓରିଆରେ ଉଲ୍ଲେଖନୀୟ ବିକାଶ ହେବା ଆଶା କରାଯାଉଛି। ମିତ୍ତଲ ତାଙ୍କ ପ୍ରଶାସନିକ ଭୂମିକାରେ ବୈଷୟିକ ଶିକ୍ଷାର ବ୍ୟାବହାରିକ ଫାଇଦା ଉପରେ ଆଲୋକପାତ କରିଛନ୍ତି।
ସେ କହିଛନ୍ତି, ଆଇଆଇଟିରୁ ମିଳିଥିବା ଜ୍ଞାନ ନିଶ୍ଚିତ ଭାବରେ ଜଣେ ସରକାରୀ ଅଧିକାରୀ ଭାବରେ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସାହାଯ୍ୟ କରେ। ମୁଁ ମିର୍ଜାପୁରରେ ଡିଏମ୍ ଭାବରେ କାର୍ଯ୍ୟ କରୁଥିବା ସମୟରେ ମିର୍ଜାପୁରର ପର୍ବତ ଶୀର୍ଷକୁ ପାଣି ଆଣିବା ପାଇଁ ମୋର ଇଂଜିନିୟରିଂ ଜ୍ଞାନକୁ ପ୍ରୟୋଗ କରିଥିଲି। ମିର୍ଜାପୁରରେ ତାଙ୍କ କାର୍ଯ୍ୟକାଳ ସମୟରେ ଲହୁରିଆ ଦହ ଗ୍ରାମର ବାସିନ୍ଦାମାନେ ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପାଇପ୍ ପାଣି ପାଇଥିଲେ। ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଜିଲ୍ଲାର ସାଥୀ ଆଇଆଇଟିଆନଙ୍କ ସହ କାମ କରିବା ଏକ ଆକର୍ଷଣୀୟ ଅନୁଭୂତି ହେବ ବୋଲି ସେ କହିଛନ୍ତି। ସାଂସଦ ତ୍ରିପାଠୀ ମଧ୍ୟ ଆଇଆଇଟି ଶିକ୍ଷାର ବ୍ୟାପକ ଫାଇଦା ବିଷୟରେ ଆଲୋକପାତ କରିଛନ୍ତି। ତ୍ରିପାଠୀ ହେଉଛନ୍ତି ପୂର୍ବତନ ସାଂସଦ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ପ୍ରକାଶମଣି ତ୍ରିପାଠୀଙ୍କ ପୁଅ । ଏସ୍ପି ଶର୍ମା ପୁଲିସ ବିଭାଗରେ ତାଙ୍କ ଇଞ୍ଜିନିୟରିଂ ପୃଷ୍ଠଭୂମିର ପରିପୂରକ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସାଥୀ ଆଇଆଇଟିଆନମାନେ ଲୋକଙ୍କ ଉନ୍ନତି ପାଇଁ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି ଶର୍ମା କହିଛନ୍ତି।