ନୂଆଦିଲ୍ଳୀ: ଆପ୍ ନେତା ତଥା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଘରେ ଆକ୍ରମଣ ହେବା ପରେ ସ୍ବାତୀ ମଲିୱାଲ ଅଭିଯୋଗ କରିବା ପାଇଁ ସିଭିଲ୍ ଲାଇନ୍ ପୁଲିସ୍ ଥାନାକୁ ଯାଇଥିଲେ। କିନ୍ତୁ କୌଣସି ଅଭିଯୋଗ ଦାଏର ନକରି ସେଠାରୁ ଚାଲିଆସିଥିଲେ। ଏଭଳି ସେ କାହିଁକି କଲେ ସେ ନେଇ ପୀଡ଼ିତା ସାଂସଦ ସ୍ବାତୀ ଆଜି ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରେ ପ୍ରକାଶ କରିଛନ୍ତି। ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ ସ୍ବାତୀ କହିଛନ୍ତି ଯେ ମଇ ୧୩ ତାରିଖରେ, ଥାନାରେ ପହଞ୍ଚିବା ବେଳେ ତାଙ୍କ ନିକଟକୁ ଅନେକ ଫୋନ୍ କଲ୍ ଆସିଥିଲା।
ଗଣମାଧ୍ୟମ ସଂସ୍ଥାରୁ ମଧ୍ୟ ଫୋନ୍ ଆସିଥିଲା। ଏତେ ସବୁ କଲ୍ ପାଇ ସେ ଭୟଭୀତ ହୋଇଯାଇଥିଲେ। ଏହା ସହ କେଜ୍ରିୱାଲ୍ଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଠାରୁ ମାଡ଼ ଖାଇ ସେ ଭାଙ୍ଗିପଡ଼ିଥିଲେ। ଏହାକୁ ସେ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁନଥିଲେ। ଏଣୁ ସେ ଏକ ପ୍ରକାର ଆତଙ୍କରେ ସେଠାରୁ ଉଠି ଚାଲିଆସିଥିଲେ। ଏହି ସମୟରେ ସାଂସଦ ସିଂହ ତାଙ୍କୁ ଫୋନ୍ କରି କହିଥିଲେ ଯେ ସେ ଏନେଇ କିଛି କରିପାରିବେ କି ନାହିଁ ଚେଷ୍ଟା କରିବେ । ପରେ ତାଙ୍କୁ ଭେଟି ଆଲୋଚନା କରିଥିଲେ। ଏହାପରେ ସେ କେଜ୍ରିୱାଲ୍ ଓ ବିଭବ କୁମାରଙ୍କୁ ଭେଟିଥିଲେ।
ସ୍ବାତୀ କହିଛନ୍ତି ଯେ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ଥିବା ବେଳେ ୧ ଲକ୍ଷ ୭୦ହଜାର ମାମଲାକୁ ସେ ପରିଚାଳନା କରିଛନ୍ତି। ସେ ପୀଡ଼ିତାଙ୍କ ସହ ଆଲୋଚନା କରିଛନ୍ତି। ଯେତେବେଳ ଯାଏଁ ଜଣେ ନିଜେ ଏଭଳି ସ୍ଥିତିର ସମ୍ମୁଖୀନ ନହୋଇଛି, ସେତେବେଳ ଯାଏଁ ଅନ୍ୟର ପୀଡ଼ା ଜଣେ ବୁଝିପାରିବ ନାହିଁ ବୋଲି ସେ କହିଛନ୍ତି ସେ (ବିଭବ କୁମାର) ତାଙ୍କୁ ୭-୮ ଥର ଲାତ ମାରିଥିଲେ, ବାଡ଼େଇଥିଲେ। ସ୍ବାତୀ କହିଛନ୍ତି, ସେତେବେଳେ ମାନସିକ ସ୍ଥିତି ଏଭଳି ଥିଲା ଯେ ସେ ତାଙ୍କୁ ଅଟକାଇବାରେ ସକ୍ଷମ ହୋଇନଥିଲେ।