କରୋନା କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ନିଜ ଘରେ ପୂରାଇ ବାହାରୁ ତାଲା ପକାଇଲା ପ୍ରଶାସନ

ଭୋପାଳ: ଲୋକେ କରୋନା କର୍ଫ୍ୟୁ ଉଲ୍ଲଂଘନ କରିବା ଘଟଣାରେ ବିବ୍ରତ ହୋଇ ଛତ୍ରପୁର ଜିଲ୍ଲାର ରାଜନଗର ପ୍ରଶାସନ କ୍ବାରେଣ୍ଟିନରେ ଥିବା ଲୋକମାନଙ୍କ ଘର ଦୁଆର ବାହାର ପଟରୁ ଦୁଇ ଦିନ ପାଇଁ ତାଲା ପକାଇ ଦେଇଥିଲା।

କ୍ବାରେଣ୍ଟିନ୍ ନିୟମ ମାନିବେ ବୋଲି ବାସିନ୍ଦାମାନେ ପ୍ରତିଶ୍ରୁତି ଦେବା ପରେ ପ୍ରଶାସନ ଶୁକ୍ରବାର ରାତିରେ ଉକ୍ତ ତାଲାଗୁଡ଼ିକ ଖୋଲିଥିଲା।

ଗତ ଦୁଇ ଦିନ ମଧ୍ୟରେ ଅନ୍ୟୂନ ୫ଠଟି ଘରର ବାହାର ପଟରୁ ତାଲା ପଡ଼ିଥିଲା ବୋଲି ପ୍ରଶାସନିକ କର୍ମଚାରୀମାନେ କହିଛନ୍ତି। ୧୪ଦିନିଆ କ୍ବାରେଣ୍ଟିନ୍ ସମୟସୀମା ଶେଷ ହେଲେ ଯାଇ ତାଲା ଖୋଲାଯିବ ବୋଲି ସେମାନେ କହିଛନ୍ତି। ଏହାର କାରଣ ହେଲା ସମ୍ପୃକ୍ତ ଅଞ୍ଚଳ କୋଭିଡ୍-୧୯ ମୁକ୍ତ ରହିଛି। ସେଠାରେ କଦାପି ସଂକ୍ରମଣ ନ ହେଉ ବୋଲି ସ୍ଥାନୀୟ ପ୍ରଶାସନ ଚାହୁଁଛି।

Image Source: Vision MP

ଏ ଭଳି କ‌ଠୋର ପଦକ୍ଷେପ ଗ୍ରହଣ କରିଥିବା ରାଜନଗର ସବଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ସ୍ବପ୍ନିଳ ୱାଁଖେଣ୍ଡେ କହନ୍ତି: ଏହା ସତର୍କତାମୂଳକ ପଦକ୍ଷେପ। ଘରେ ଥିବା ବ୍ୟକ୍ତିମାନଙ୍କର କାଳେ କିଛି ଦରକାର ହେବ ସେଥିଲାଗି ଆମ ଟିମ୍ ମେମ୍ବରମାନ‌େ ନିୟମିତ ଏହି ଘରମାନଙ୍କୁ ଯାଉଛନ୍ତି।

ନିଜ ଘରେ ବନ୍ଦୀ ହୋଇଥିବା ଏହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ବିଦେଶୀଙ୍କ ସମେତ ପର୍ଯ୍ୟଟକମାନଙ୍କୁ ଦିଲ୍ଲୀ ଓ ଭୋପାଳ ବୁଲାଇ ନେଉଥିବା ଗାଡ଼ିଚାଳକ ଏବଂ ଅକାରଣରେ ରାସ୍ତାରେ ବୁଲାବୁଲି କରୁଥିବା ବ୍ୟକ୍ତିବିଶେଷ।

ଏଠାରେ ଉଲ୍ଲେଖ କରଯାଇ ପାରେ ଯେ ରାଜନଗରେ ପ୍ରସିଦ୍ଧ ଖଜୁରାଓ ମନ୍ଦିର ଅବସ୍ଥିତ ଥିବାରୁ ସେଠାରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି। ମାର୍ଚ ୨୫ ତାରିଖରୁ ଖଜୁରାଓକୁ ଲକଡାଉନ୍ କରାଯାଇଛି। ଏବଂ ଏହା ପରେ ପରେ ସେଠାରେ କର୍ଫ୍ୟୁ ଜାରି କରାଯାଇଛି। ତେଣୁ ସେ ସମୟରେ ସେ ଅଞ୍ଚଳରେ ଅଟକି ଯାଇଥିବା ୩୩ ଜଣ ବିଦେଶୀଙ୍କୁ ହୋଟେଲ ଓ ଲୋକମାନଙ୍କ ଘରେ ରଖାଇ ଦିଆଯାଇଥିଲା। ଦିଲ୍ଲୀ ଠାରେ ଥିବା ସେମାନଙ୍କ ଦୂତାବାସରୁ ଡାକରା ଆସିଲେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ସେମାନଙ୍କୁ ଛଡ଼ାଯାଉଛି। ଏ ପର୍ଯ୍ୟନ୍ତ ୨୫ଜଣ ପର୍ଯ୍ୟକଟ ସେଠାରୁ ଚାଲିଗଲେଣି।

ସମ୍ବନ୍ଧିତ ଖବର