ରାଜ୍ୟସଭା ସଦସ୍ୟ ଏମ୍‌.ପି. ବୀରେନ୍ଦ୍ର କୁମାରଙ୍କ ପରଲୋକ

କୋଚି : ରାଜ୍ୟସଭା ସଦସ୍ୟ ଏମ୍‌.ପି. ବୀରେନ୍ଦ୍ର କୁମାରଙ୍କର ୮୪ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇଯାଇଛି। ସେ ‘ମାତୃଭୂମି’ର ପରିଚାଳନା ସଂପାଦକ ଥିଲେ। କେରଳ ତାଙ୍କୁ ‘ସବୁଜ ସମାଜବାଦୀ’ ରୂପେ ସମ୍ମାନ ଦେଇ ଶୋକ ପାଳୁଛି। ତାଙ୍କର ସାତ ଦଶନ୍ଧିର ରାଜନୀତିକ ଜୀବନରେ ସେ କେନ୍ଦ୍ର ଶ୍ରମ ମନ୍ତ୍ରୀ, ବନ ଓ ପରିବେଶ ରାଜ୍ୟ ମନ୍ତ୍ରୀ ଓ ଲୋକସଭା ସଦସ୍ୟ ହୋଇଥିଲେ। ଜନତା ଦଳ ସୋସାଲିଷ୍ଟ୍‌ର ସେ ସଭାପତି; ଲୋକତାନ୍ତ୍ରିକ ଜନତାଦଳ ପାର୍ଟିର ପ୍ରତିଷ୍ଠାତା ଥିଲେ। ଜଣେ ଚିନ୍ତାନାୟକ ଓ ଓଜସ୍ୱୀ ବକ୍ତା ଥିଲେ। ପଲକଡ଼ ଜିଲ୍ଲାରେ କୋକାକୋଲା ଫାକ୍ଟୋରି ବିରୋଧରେ ସେ ଜନସମର୍ଥନ ଠୁଳ କରିଥିଲେ। ୨୨ ଜୁଲାଇ ୧୯୩୭ରେ ୱାଇନାଡ୍‌ର କଲ୍‌ପେଟ୍ଟାର ଏକ ଜୈନ ପରିବାରରେ ଜନ୍ମିତ ବୀରେନ୍ଦ୍ରଙ୍କ ବାପାଙ୍କ ନାମ ଥିଲା ଏମ୍‌.କେ. ପଦ୍ମନାଭ ଗୌଦେର ଓ ମାଆଙ୍କ ନାମ ଥିଲା ମରୁଦେବୀ ଆମ୍ମା। ସେ ରାମକୃଷ୍ଣ ମିଶନ କଲେଜରୁ ଦର୍ଶନରେ ଏମ୍‌ଏ ପାସ୍‌ କରିବା ପରେ ଯୁକ୍ତରାଷ୍ଟ୍ରର ସିନ୍‌ସିନାଟି ୟୁନିଭର୍ସିଟିରୁ ଏମ୍‌ବିଏ କରିଥିଲେ। ତାଙ୍କର ପରଲୋକରେ ପ୍ରଧାନମନ୍ତ୍ରୀ, କେରଳ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର