ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି, ରାଜସ୍ଥାନ‌େର କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ବିଜୟୀ ହେବ। କିନ୍ତୁ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର କ୍ଷମତା ବଜାୟ ରହିବ। ‘ଟାଇମ୍ସ ନାଓ’ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଏଭଳି ସୂଚନା ମିଳିଛି। ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଏହି ତିନିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।
ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ ହୋଇଥିବାରୁ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ତିନିଟି ରାଜ୍ୟରେ ବିଜେପି କ୍ଷମତାରେ ରହିଛି। ଏହାପୂର୍ବରୁ କେତେକ ଜନମତ ସର୍ଭେରେ ଏହି ରାଜ୍ୟଗୁଡ଼ିକରେ ବିଜେପିକୁ ପରାସ୍ତ କରି କଂଗ୍ରେସ କ୍ଷମତା ଦଖଲ କରିବ ବୋଲି କୁହାଯାଇଥିଲା।
ଆଜି ସନ୍ଧ୍ୟାରେ ‘ଟାଇମ୍‌ସ ନାଓ’ ପକ୍ଷରୁ ଜାରି କରାଯାଇଥିବା ରିପୋଟର୍ରେ କୁହାଯାଇଛି ଯେ ରାଜସ୍ଥାନକୁ ଛାଡ଼ିଦେଲେ ଅନ୍ୟ ଦୁଇଟି ରାଜ୍ୟରେ କ୍ଷମତାସୀନ ବିଜେପିର ଅବସ୍ଥା ଭଲ ରହିଛି। ରାଜସ୍ଥାନରେ ୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସକୁ ୧୧୫ଟି ଆସନ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ୭୫ ଏବଂ ଅନ୍ୟମାନଙ୍କୁ ୧୦ଟି ଆସନ ମିଳିବ। ତେବେ ମଧ୍ୟ ପ୍ରଦେଶରେ ୨୩୦ ଆସନ ମଧ୍ୟରୁ ବିଜେପିକୁ ୧୪୨, କଂଗ୍ରେସକୁ ୭୭ ଏବଂ ଅନ୍ୟମାନଙ୍କୁ ୧୧ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ସେହିଭଳି ଛତିଶଗଡ଼ରେ୯୦ ଆସନ ମଧ୍ୟରୁ ବିଜେପିକୁ ୪୭, କଂଗ୍ରେସକୁ ୩୩ ଏବଂ ଅନ୍ୟମାନଙ୍କୁ ୧୦ଟି ଆସନ ମିଳିବ। ମଧ୍ୟ ପ୍ରଦେଶ କିମ୍ବା ଛତିଶଗଡ଼ରେ ସରକାର-ବି‌େରାଧୀ ହାୱା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
ଏହାପୂର୍ବରୁ ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତିନିଟି ଯାକ ରାଜ୍ୟରେ କଂଗ୍ରେସ ବିଜୟୀ ହେବ ବୋଲି କୁହାଯାଇଥିଲା। ମଧ୍ୟ ପ୍ରଦେଶରେ କଂଗ୍ରେସକୁ ୧୨୨ ଏବଂ ବିଜେପିକୁ ୧୦୮, ରାଜସ୍ଥାନରେ କଂଗ୍ରେସକୁ ୧୪୨ ଏବଂ ବିଜେପିକୁ ୫୬ ତଥା ଛତିଶଗଡ଼ରେ କଂଗ୍ରେସକୁ ୪୭ ଏବଂ ବିଜେପିକୁ ୪୦ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା।
ସୂଚନାଯୋଗ୍ୟ ଯେ ମଧ୍ୟ ପ୍ରଦେଶରେ ଏବେ ବିଜେପିର ୧୬୫ ବିଧାୟକ ଥିବା ବେଳେ ରାଜସ୍ଥାନରେ ୧୪୨ ଏବଂ ଛତିଶଗଡ଼ରେ ୪୯ ବିଧାୟକ ଅଛନ୍ତି। ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ୨୦୦୩ରୁ ବିଜେପି କ୍ଷମତାସୀନ ଥିବା ବେଳେ ରାଜସ୍ଥାନରେ ୨୦୧୩ରୁ ବିଜେପି ସରକାର ରହିଛି। ଛତିଶଗଡ଼ରେ ରମଣ ସିଂହ ୨୦୦୩ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ମଧ୍ୟ ପ୍ରଦେଶରେ ଚୌହାନ ୨୦୦୫ରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କ ନେତୃତ୍ବରେ ବିଜେପି ଦୁଇ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର