ସାଂସଦଙ୍କୁ ମିଳିନି ପୂରା ପାଣ୍ଠି, ଆହୁରି ୬୯ କିସ୍ତି ବାକି

ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଶେଷ ହେବ। ଏପର୍ଯ୍ୟନ୍ତ ସୁଦ୍ଧା ସାଂସଦମାନେ ସେମାନଙ୍କ ସାଂସଦ ପାଣ୍ଠି ବାବଦ ସମ୍ପୂର୍ଣ୍ଣ କିସ୍ତି ଅର୍ଥ ପାଇନାହାନ୍ତି। ଆଜିସୁଦ୍ଧା ୬୯ଟି କିିସ୍ତି ବାକିଥିବା ଜଣାପଡ଼ିଛି।

ଏମ୍‌ପିଲ୍ୟାଡ୍‌ (ମେମ୍ବର ଅଫ୍‌ ପାର୍ଲିଆମେଣ୍ଟ୍‌ ଲୋକାଲ୍‌ ଏରିଆ ଡେଭେଲପ୍‌ମେଣ୍ଟ୍‌) ଯୋଜନା ଅନ୍ତର୍ଗତ ଲୋକସଭା ସାଂସଦମାନଙ୍କୁ ସେମାନଙ୍କ ସଂସଦୀୟ କ୍ଷେତ୍ରର କାର୍ଯ୍ୟ ପାଇଁ ପ୍ରତ୍ୟେକ ବର୍ଷ ୫ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ। ଏହି ଅର୍ଥରାଶି ପ୍ରତ୍ୟେକ ବର୍ଷ ୨ କୋଟି ୫୦ ଲକ୍ଷ ଟଙ୍କା ହିସାବରେ ବର୍ଷକୁ ଦୁଇଟି କିସ୍ତିରେ ମଂଜୁର କରାଯାଇଥାଏ। ସାଂସଦମାନେ ସେମାନଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରା କରିବା ସମୟରେ ୧୦ଟି କିସ୍ତିରେ ଅର୍ଥରାଶି ପାଇଥା’ନ୍ତି। ହେଲେ କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କ୍ରିୟାନ୍ଵୟନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁସାରେ କେବଳ ଓଡ଼ିଶା ନୁହେଁ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, କେରଳ, ରାଜସ୍ଥାନ, ଗୁଜରାଟ, ଓ ଝାଡ଼ଖଣ୍ଡର ଲୋକସଭା ସାଂସଦମାନଙ୍କ ସାଂସଦ ପାଣ୍ଠି ଅନ୍ତର୍ଗତ ବକେୟା କିସ୍ତି ମିଳିପାରିନାହିଁ। ୨୦୧୬-୧୭ମସିହାରେ ଓଡ଼ିଶାର ଲୋକସଭା ସାଂସଦମାନଙ୍କର ୩ଟି ବକେୟା କିସ୍ତି ରହିଛି। ୨୦୧୭-୧୮ରେ ମୋଟ୍‌ ୨୪ଟି ବକେୟା କିସ୍ତି ରହିଥିବାବେଳେ ୨୦୧୮-୧୯ରେ ମୋଟ୍‌ ୪୨ଟି ବକେୟା କିସ୍ତି ରହିଛି।

ସୂଚନା ଅନୁସାରେ, ଲୋକସଭା ସାଂସଦ ତଥାଗତ ସତପଥୀ, ଝିନ ହିକ୍‌କା ଓ ରୀତା ତରାଇଙ୍କ ୫ଟି ଲେଖାଏଁ ବକେୟା କିସ୍ତି ବାକି ରହିଥିବାବେଳେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ରାମଚନ୍ଦ୍ର ହାଁସଦା, ଭର୍ତ୍ତୃହରି ମହତାବଙ୍କ ୪ଟି ଲେଖାଏଁ ବକେୟା କିସ୍ତି ରହିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌, ସାଂସଦ ଲଡ଼ୁ କିଶୋର ସ୍ୱାଇଁ, ରବୀନ୍ଦ୍ର କୁମାର ଜେନା, ସିଦ୍ଧାନ୍ତ ମହାପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, କଳିକେଶ ନାରାୟଣ ସିଂହଦେଓ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ଅର୍କକେଶରୀ ସିଂହଦେଓ, ଶକୁନ୍ତଳା ଲାଗୁରୀ, ବଳଭଦ୍ର ମାଝି, ଓ ପିନାକୀ ମିଶ୍ରଙ୍କ ୩ଟି ଲେଖାଏଁ ବକେୟା କିସ୍ତି ରହିଥିବାବେଳେ ସାଂସଦ ଡାକ୍ତର କୁଳମଣି ସାମଲ, ଅର୍ଜୁନଚରଣ ସେଠୀ ଓ ପ୍ରଭାସ କୁମାର ସିଂହଙ୍କର ୨ଟି ଲେଖାଏଁ ବକେୟା କିସ୍ତି ରହିଛି।

ଚଳିତମାସ ୩୦ ତାରିଖରେ ଦିଲ୍ଲୀର ବିଜ୍ଞାନଭବନଠାରେ ଏମ୍‌ପିଲ୍ୟାଡ୍‌ ଯୋଜନା କ୍ରିୟାନ୍ଵୟନ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। ଏହି ବୈଠକରେ ବକେୟା କିସ୍ତି ସମ୍ପର୍କରେ ଆଲୋଚନା କରାଯାଇ ସମାଧାନର ବାଟ କିଭଳି ବାହାର କରାଯାଇ ପାରିବ ସେନେଇ ଏଜେଣ୍ଡାର କାର୍ଯ୍ୟସୂଚୀରେ ସାମିଲ୍‌ କରାଯାଇଛି। ସୂତ୍ର ଅନୁସାରେ ଅନେକ ରାଜ୍ୟର ଜିଲ୍ଲା ପ୍ରଶାସନ ଦ୍ୱାରା ସାଂସଦ ପାଣ୍ଠି ଅର୍ଥରାଶି ଉପଯୋଗିତାର ପ୍ରମାଣପତ୍ର ତଥା ଅଡିଟ୍‌ ପ୍ରମାଣପତ୍ର ପଠାଯାଇ ପାରିନଥିବାରୁ ବକେୟା କିସ୍ତି ସମସ୍ୟା ଦେଖାଦେଇଛି।

ତଥ୍ୟ ଅନୁଯାୟୀ ଓଡ଼ିଶାାର ଅନୁଗୁଳ, ବଲାଙ୍ଗିର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଓ ନୟାଗଡ଼ ନୋଡାଲ୍‌ ଜିଲ୍ଲା ଗୁଡ଼ିକ ଗତବର୍ଷରୁ ଅନ୍‌ଲାଇନ୍‌ ଏମ୍‌ପିଆର ଦାଖଲ କରିନାହାନ୍ତି। ଓଡ଼ିଶାର ୧୫ଟି ନୋଡାଲ୍‌ ଜିଲ୍ଲା ଏମ୍‌ପିଲ୍ୟାଡ୍‌ ଅନ୍ତର୍ଗତ ତ୍ୱରାନ୍ଵିତ କାର୍ଯ୍ୟଗୁଡ଼ିକୁ ଅପ୍‌ଲୋଡ୍‌ କରିନାହାନ୍ତି। ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତଥ୍ୟ ଅନୁସାରେ ଏମ୍‌ପିଲ୍ୟାଡ୍‌ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ମଂଜୁର କରାଯାଇଥିବା ୧୯୧୭.୦୫ କୋଟି ଟଙ୍କାର ଅର୍ଥରାଶିରୁ ୧୭୩୩.୯୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତଥା ୨୪୪.୧୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ।

ସମ୍ବନ୍ଧିତ ଖବର