ସଂସଦରେ ଅଚଳାବସ୍ଥା: ସାଂସଦ ଉଠାଇ ପାରୁନାହାନ୍ତି ରାଜ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେର୍‌ ଗୁପ୍ତଚରଗିରି, କୃଷି ଆଇନ ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଦଳମାନଙ୍କ ପକ୍ଷରୁ ସଂସଦରେ ଗତ ୯ ଦିନ ଧରି ହଙ୍ଗାମା କରାଯାଉଥିବାରୁ ସଂସଦର ଅଚଳାବସ୍ଥା ଜାରି ରହିଛି। ଉଭୟ ଗୃହରେ ହୋହଲ୍ଲା ଜାରି ରହିଥିବାରୁ ପ୍ରଶ୍ନକାଳ, ଶୂନ୍ୟକାଳରେ ବ୍ୟାଘାତ ସୃଷ୍ଟି ହେବା ସହ ହଟ୍ଟଗୋଳ ମଧ୍ୟରେ ତରବରିଆ ଭାବେ ବିଲ୍‌ଗୁଡିକ ବିନା ଆଲୋଚନା ତଥା ବାଚନିକ ଭୋଟ ଦ୍ବାରା ପାରିତ କରାଯାଉଥିବାରୁ ସାଂସଦମାନେ ଆଲୋଚନାରେ ଭାଗନେବାକୁ ସୁଯୋଗ ପାଇପାରୁ ନାହାନ୍ତି।

ସଂସଦରେ ଜାରି ରହିଥିବା ଏହି ଅବସ୍ଥା କେବେ ହଟିବ ସେ ନେଇ କୌଣସିପ୍ରକାର ସଙ୍କେତ ମିଳିପାରୁ ନ ଥିବାବେଳେ ଚଳିତ ମୌସୁମୀ ଅଧିବେଶନରେ ରାଜ୍ୟ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗଗୁଡିକୁ ଆଲୋଚନା ହୋଇପାରୁନାହିଁ। ଓଡ଼ିଶାର ସାଂସଦମାନଙ୍କ ପାଖରେ ନିଜ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାଗୁଡିକର ଲମ୍ବା ତାଲିକା ରହିଥିବାବେଳେ ସଂସଦର କାର୍ଯ୍ୟଦିବସ ହଟ୍ଟଗୋଳ ଯୋଗୁଁ ବ୍ୟାହତ ହେଉଥିବାରୁ ସାଂସଦମାନେ ବ୍ୟକ୍ତିଗତଭାବେ କିଛି କେନ୍ଦ୍ରମନ୍ତ୍ରୀମାନଙ୍କୁ ସାକ୍ଷାତ କରି ରାଜ୍ୟର ତଥା ନିଜ ନିଜ ସଂସଦୀୟ କ୍ଷେତ୍ରର ସମସ୍ୟା ତଥା ନିରାକରଣ ପାଇଁ ଦାବିପତ୍ର ପ୍ରଦାନ କରୁଛନ୍ତି।

ବିଜେଡି ସାଂସଦମାନଙ୍କ ପାଇଁ ଧାନ ସଂଗ୍ରହ ବାବଦରେ ଓଡ଼ିଶାକୁ ରିହାତି ରାଶି ପ୍ରଦାନ କରାଯିବା ଦାବି ତଥା ରାଜ୍ୟର ବିଭିନ୍ନ ଗୋଦାମରୁ ଚାଉଳ ଉଠାଣ କରାଯାଉନଥିବା ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରାଯିବା ପ୍ରାଥମିକତା ରହିଛି। ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନଙ୍କର ପ୍ରତିନିଧିମଣ୍ଡଳ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସାକ୍ଷାତ କରସାରିଛନ୍ତି। ସଂସଦ ସ୍ବାଭାବିକ ଭାବେ ଚାଲିଲେ ବିଜେଡି ରାଜ୍ୟର ବିଭିନ୍ନ ପ୍ରସଙ୍ଗଗୁଡିକୁ ଧାର୍ଯ୍ୟ ରଣନୀତି ଅନୁସାରେ ଗୃହରେ ଉପସ୍ଥାପନ କରିବ। ଯଦି ଗୃହରେ ପେଗାସସ୍‌ ଗୁପ୍ତଚରଗିରି ପ୍ରସଙ୍ଗରେ ଆଲୋଚନା ହୁଏ, ଆଲୋଚନା ବେଳେ ହିଁ ଏହି ପ୍ରସଙ୍ଗରେ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ଲୋକସଭାର ଜଣେ ବରିଷ୍ଠ ବିଜେଡି ସାଂସଦ କହିଛନ୍ତି। ଅପରପକ୍ଷେ ବିଜେପିର ସାଂସଦମାନେ ମଧ୍ୟ ସଂସଦରେ ଜାରି ରହିଥିବା ଅଚଳାବସ୍ଥାକୁ ନାପସନ୍ଦ କରିଛନ୍ତି।

ବିଜେପିର ସାଂସଦ ବସନ୍ତ କୁମାର ପଣ୍ଡାଙ୍କ କହିବା ଅନୁସାରେ ରାଜ୍ୟ ସରକାର ଚାଷୀଙ୍କ ଦ୍ବାରା ଉତ୍ପାଦିତ ଧାନକୁ କିଣିବାରେ ବିଫଳ ହୋଇଥିବା, ରେଳ ସମସ୍ୟା, ବିଜୁଳି ବିଭ୍ରାଟ ପ୍ରସଙ୍ଗ, କେନ୍ଦ୍ର ଦ୍ବାରା ରାଜ୍ୟକୁ ପଠାଯାଉଥିବାର ଅର୍ଥକୁ ଖର୍ଚ୍ଚ କରାନଯିବା ପ୍ରସଙ୍ଗଗୁଡିକୁ ସଂସଦରେ ଲାଗିରହିଥିବା ଗତିରୋଧ ଯୋଗୁଁ ଉପସ୍ଥାପନ କରାଯାଇ ପାରୁନାହିଁ। ସ୍ଥିତି ସ୍ବାଭାବିକ ହେଲେ ଉପସ୍ଥାପନ କରାଯିବ। ହେଲେ ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନଙ୍କୁ ରାଜ୍ୟର ପ୍ରସଙ୍ଗ ଓ ଦାବିକୁ ନେଇ ସ୍ମାରକପତ୍ର ଦିଆଯାଉଥିବା ଶ୍ରୀ ପଣ୍ଡା କହିଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ପେଗାସସ ଓ କୃଷି ଆଇନ ପ୍ରସଙ୍ଗରେ ବିରୋଧୀଙ୍କ ସହିତ ହୋହଲ୍ଲାରେ ସକ୍ରିୟରୂପେ ସାମିଲ ରହିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ତାଙ୍କ କାର୍ଯ୍ୟସୂଚୀରେ ମଧ୍ୟ ରହିଛି। ସବୁକିଛି ସଂସଦର ଅଚଳାବସ୍ଥା ହଟିବା ଉପରେ ନିର୍ଭର କରୁଛି ବୋଲି ସାଂସଦମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର