ମୌସୁମୀ ଅଧିବେଶନରେ ଭିନ୍ନ ଭିନ୍ନ ସ୍ଥାନରେ ବସିବେ ସାଂସଦ

ନୂଆଦିଲ୍ଲୀ : ସୋମବାର (ସେପ୍ଟେମ୍ବର ୧୪)ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ୧୮ ଦିନ ଧରି ଚାଲିବ। ଏଥର ମୌସୁମୀ ଅଧିବେଶନରେ କରୋନା ମହାମାରୀ ଦୃଷ୍ଟିରୁ ଏକାଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖାଯାଇ ଉଭୟ ଗୃହର ସାଂସଦମାନଙ୍କୁ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ବସିବାର ବ୍ୟବସ୍ଥା କରାଯାଇଛି। ରାଜ୍ୟସଭାର ସାଂସଦମାନେ ରାଜ୍ୟସଭାର ଚ୍ୟାମ୍ବର, ଲୋକସଭାର ଚ୍ୟାମ୍ବର ଓ ଲୋକସଭାର ଗ୍ୟାଲେରୀରେ ବସିବେ। ଅପରପକ୍ଷେ ଲୋକସଭାର ସାଂସଦମାନେ ଲୋକସଭାର ଚ୍ୟାମ୍ବର, ଲୋକସଭାର ଗ୍ୟାଲେରୀ, ରାଜ୍ୟସଭାର ଚ୍ୟାମ୍ବର ଓ ଗ୍ୟାଲେରୀ ଓ ସେଣ୍ଟ୍ରାଲ ହଲରେ ବସିବେ।

ମିଳିଥିବା ସୂଚନା ଅନୁସାରେ ବିଜେଡିର ୯ ଜଣ ରାଜ୍ୟସଭା ସାଂସଦମାନଙ୍କ ମଧ୍ୟରୁ ୩ ଜଣ ଲେଖାଏଁ ଲୋକସଭା ଚ୍ୟାମ୍ବର ଓ ଗ୍ୟାଲେରୀରେ ୨ ଜଣ ରାଜ୍ୟସଭା ଚ୍ୟାମ୍ବରରେ ଏବଂ ଜଣେ ସାଂସଦ ରାଜ୍ୟସଭା ଗ୍ୟାଲେରୀରେ ବସିବେ। ସେଭିଭଳି ବିଜେଡିର ୧୨ ଜଣ ଲୋକସଭା ସାଂସଦମାନଙ୍କ ମଧ୍ୟରୁ ୬ ଜଣ ଲୋକସଭା ଚ୍ୟାମ୍ବରରେ, ୪ ଜଣ ଲୋକସଭା ଗ୍ୟାଲେରୀରେ ତଥା ଜଣେ ସାଂସଦ ରାଜ୍ୟସଭା ଚ୍ୟାମ୍ବରରେ ଓ ଜଣେ ସାଂସଦ ରାଜ୍ୟସଭା ଗ୍ୟାଲେରୀରେ ବସିବେ। କଂଗ୍ରେସ ଓ ବିଜେପି ସାଂସଦମନଙ୍କର ବସିବାର ମଧ୍ୟ ବ୍ୟବସ୍ଥା ଚୂଡ଼ାନ୍ତ କରାଯାଉଛି। ଚଳିତ ଅଧିବେଶନରେ ସାଂସଦମାନେ ସଂସଦରେ ପହଞ୍ଚିବା ପରେ ରେଜିଷ୍ଟ୍ରାର୍‌ରେ ଦସ୍ତଖତ କରିବା ପରିବର୍ତ୍ତେ ଉପସ୍ଥିତିର ପ୍ରମାଣ ମୋବାଇଲ ଆଟେନ୍‌ଡାନ୍ସ ଆପ୍ଲିକେସନ ଦ୍ବାରା ନିଆଯିବ। ସମସ୍ତ ସାଂସଦମାନଙ୍କ ପାଇଁ ରହିବାର ଓ ସେମାନଙ୍କର କୋଭିଡ୍-୧୯ ସମ୍ବନ୍ଧୀୟ ଓରିଏନ୍‌ଟେସନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର