ଜୟସେଲମେର୍ :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜସ୍ଥାନର ଜୟସେଲମେରଠାରେ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପଣ କରାଯାଉଥିବା ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥା (ଏମଆର-ସାମ)କୁ ଭାରତୀୟ ବାୟୁସେନାରେ ସାମିଲ କରିଛନ୍ତି । ଏମଆର-ସାମକୁ ଭାରତର ଡିଆରଡିଓ ଓ ଇସ୍ରାଏଲ ଏରୋସ୍ପେଶ ଇଣ୍ଡଷ୍ଟ୍ରିଜ୍ (ଆଇଏଆଇ) ମିଳିତଭାବେ ନିର୍ମାଣ କରିଛନ୍ତି ।

Advertisment

ଜୟସେଲମେରଠାରେ ଥିବା ଭାରତୀୟ ବାୟୁସେନାର ଦକ୍ଷିଣ-ପଶ୍ଚିମ  ଏୟାର କମାଣ୍ଡ ଅଧିନସ୍ଥ ୨୨୦୪ ସ୍କ୍ବାର୍ଡନରେ ଏହାକୁ ସାମିଲ କରାଯାଇଛି । ଏହି ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ମାରକ ସୀମା ପ୍ରାୟ ୭୦ କିଲୋମିଟର ରହିଛି । ଏହା ଶତ୍ରୁପକ୍ଷର ବିମାନ, କ୍ଷେପଣାସ୍ତ୍ର, ହେଲିକାପ୍ଟର କିମ୍ବା ଡ୍ରୋନକୁ ମାରି ଖସାଇଦେବ । ଭାରତର ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଗୁଡ଼ିକର ସୁରକ୍ଷା ପାଇଁ ଏହାକୁ ମୁତୟନ କରାଯିବ ।

ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ବିଶ୍ବ ପରିସ୍ଥିତି ଏବେ ଦ୍ରୁତ ଗତିରେ ବଦଳୁଛି । ଦେଶ ଦେଶ ମଧ୍ୟରେ ସମୀକରଣ ବଦଳୁଛି ।  ଦକ୍ଷିଣ ଚୀନ ସାଗର, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଭାରତ ମହାସାଗର ଅଞ୍ଚଳ, କେନ୍ଦ୍ର ଏସିଆ ସବୁଠାରେ ଏବେ ଅନିଶ୍ଚିତତାର ବାତାବରଣ ରହିଛି । ଆଫଗାନିସ୍ତାନ ଘଟଣା ଏହାର ଏକ ଉଦାହରଣ ।