ରାଞ୍ଚି: ଜେଲରେ ଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋମବାର ରାଜ୍ୟର ଗଣ୍ଡେ ବିଧାନସଭା ଆସନରୁ ଜେଏମ୍ଏମ୍ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ସଂସଦୀୟ ନିର୍ବାଚନ ସହ ମେ ୨୦ ତାରିଖରେ ଏହି ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ।
ଜେଏମ୍ଏମ୍ ବିଧାୟକ ସରଫରାଜ ଅହମ୍ମଦଙ୍କ ଇସ୍ତଫା ପରେ ଗିରିଡିହ ଜିଲ୍ଲାର ଏହି ଆସନ ଖାଲି ପଡ଼ିଥିଲା। ୪୮ ବର୍ଷୀୟା କଳ୍ପନା ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ଭିଣୋଇ ବସନ୍ତ ସୋରେନ ମଧ୍ୟ ଉପସ୍ଥିତ ଥିଲେ।
ଏମେ୍ଟକ୍ ଓ ଏମ୍ବିଏ ଯୋଗ୍ୟତା ହାସଲ କରିଥିବା ଗୃହିଣୀ କଳ୍ପନା ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନରୁ ଇଞ୍ଜିନିୟରିଂ ଓ ଏମ୍ ବିଏ ଡିଗ୍ରି ହାସଲ କରିଛନ୍ତି।
୨୦୧୯ରେ ହେମନ୍ତ ସୋରେନଙ୍କ ନେତୃତ୍ତ୍ୱାଧୀନ ମେଣ୍ଟ ସରକାର କ୍ଷମତାକୁ ଆସିବା ପରଠାରୁ ବିରୋଧୀମାନେ ଷଡ଼ଯନ୍ତ୍ର ଚଳାଇଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ଜେଲରେ ପକାଇଥିବା ସେମାନଙ୍କୁ ଝାଡ଼ଖଣ୍ଡ କଡ଼ା ଜବାବ ଦେବ ବୋଲି ସେ ଦାବି କରିବା ପରେ ମାର୍ଚ୍ଚ ୪ ତାରିଖରେ ଗିରିଡିହ ଜିଲ୍ଲାରେ ଜେଏମ୍ଏମ୍ର ୫୧ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।
ଗତ ଜାନୁଆରି ୩୧ ତାରିଖରେ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/22ulgulan-nyaya-maha-rall5.jpg)